ଓଡିଶା

odisha

ETV Bharat / bharat

ବିଜେପି ନେତାଙ୍କ ବଡ ଘୋଷଣା, ଭାରତ ବିଶ୍ବକପ ଜିତିଲେ ପ୍ରତି କ୍ରିକେଟରଙ୍କୁ ପ୍ରଦାନ କରିବେ ପ୍ଲଟ୍‌ - କ୍ରିକେଟ ବିଶ୍ବକପ ୨୦୨୩

ଗୁଜୁରାଟର ବିଜେପି ନେତାଙ୍କ ବଡ଼ ଘୋଷଣା । ଭାରତ ବିଶ୍ବକପ ଜିତିଲେ ପ୍ରତି କ୍ରିକେଟରଙ୍କୁ ପ୍ରଦାନ କରାଯିବ ପ୍ଲଟ୍‌ । ଅଧିକ ପଢନ୍ତୁ

BJP leader Keur Dholariya
BJP leader Keur Dholariya

By ETV Bharat Odisha Team

Published : Nov 18, 2023, 9:48 PM IST

ଗାନ୍ଧୀନଗର:ଭାରତରେ ଚାଲିଥିବା କ୍ରିକେଟ ମହାକୁମ୍ଭ ତାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ରହିଛି ଟିମ ଇଣ୍ଡିଆ । ତେବେ ଫାଇନାଲ ମ୍ୟାଚ ଜିତି ବିଶ୍ବକପର ଚମ୍ପିଆନ ହେବା ଲାଗି ଟିମ ଲକ୍ଷ୍ୟ ରଖିଥିବା ବେଳେ ଭାରତବାସୀ ମଧ୍ୟ ସମାନ ଆଶା ରଖିଛନ୍ତି । ଏବେ ସେହି ଫାଇନାଲ ଫାଇଟକୁ ୨୪ ଘଣ୍ଟାରୁ କମ ସମୟ ଥିବା ବେଳେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭରିଛି ଉତ୍ସାହ ଓ ଉତ୍କଣ୍ଠା । ତେବେ ଭାରତ ଯଦି ଆଇସିସି ବିଶ୍ବକପ ୨୦୨୩ର ଚମ୍ପିଆନ ହୁଏ, ତେବେ ପ୍ରତି କ୍ରିକେଟରଙ୍କୁ ବିଜେପି ନେତା କେୟୁର ଧୋଲରିଆ ପ୍ଲଟ ବା ଜମି ଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଏଣୁ ଦେଶବାସୀ ଭାରତକୁ ବିଶ୍ବକପର ଚମ୍ପିଆନ ଭାବେ ଦେଖିବା ଲାଗି ଆଶା ରଖିଛନ୍ତି । ଏହାରି ମଧ୍ୟରେ ଗୁଜୁରାଟ ରାଜକୋଟ ଜିଲ୍ଲାର ବିଜେପି ନେତା କେୟୁର ଧୋଲରିଆ କହିଛନ୍ତି, " ଯଦି ଭାରତୀୟ ଟିମ ବିଶ୍ବକପ ଜିତନ୍ତି, ତେବେ ସ୍କ୍ବାଡର ୧୫ ଜଣ କ୍ରିକେଟର ଓ ଜଣେ କୋଚଙ୍କ ସମେତ ମୋଟ ୧୬ ଜଣଙ୍କୁ ଭାୟାସର-କଥରୋଟ ଶିବମ ଲ୍ୟାଣ୍ଡ ଇଣ୍ଡଷ୍ଟ୍ରି ଜୋନରେ ୨୫୧ ଏକର ଜମି ଦାନ କରାଯିବ । ରାଜକୋଟ ନିକଟ ଲୋଥ୍ରା ଇଣ୍ଡଷ୍ଟ୍ରିଜ୍ ଜୋନର ୫୦ ଏକର ଜମିରେ ଆମେ ଶିବମ ଇଣ୍ଡଷ୍ଟ୍ରିଜ ଜୋନ୍ ନିର୍ମାଣ କରୁଛୁ । ସେଠାରେ ସମସ୍ତ ପ୍ରକାରର ସୁବିଧା ଅଛି । ଯେଉଁଠାରେ ଖେଳାଳୀଙ୍କୁ ଏକ ପ୍ଲଟ୍ ଦିଆଯିବ ।"

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ଆପଣ ବାଛିବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି, ୯ ଖେଳାଳିଙ୍କ ରେସ୍‌ରେ ୪ ଭାରତୀୟ

ସେ ଆହୁରି କହିଛନ୍ତି, "ଏହି ଖେଳାଳିମାନଙ୍କୁ ଦିଆଯାଇଥିବା ପ୍ଲଟର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଏଥିଲାଗି ଆମେ ଭାରତୀୟ କ୍ରିକେଟ୍ ବୋର୍ଡ ପରିଷଦ ସହିତ ଯୋଗାଯୋଗ କରିବୁ ଏବଂ ଭାରତୀୟ କ୍ରିକେଟରଙ୍କୁ ଏହି ସମ୍ପର୍କରେ ଅବଗତ କରିବାକୁ ଯାଉଛୁ । ଏହା ପରେ, ଯଦି କୌଣସି କ୍ରିକେଟର ଏହି ପ୍ଲଟକୁ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ଚାହାଁନ୍ତି, ଆମେ ତାହା ମଧ୍ୟ କରିବୁ । ଆମର ଶିଳ୍ପ କ୍ଷେତ୍ରରେ ୨୩୦ଟି ପ୍ଲଟ୍ ଅଛି । ସମସ୍ତ ଖେଳାଳିଙ୍କ ପାଇଁ ଆମେ ୧୬ଟି ପ୍ଲଟ୍ ସଂରକ୍ଷଣ ରଖିଛୁ ।"

ଆସନ୍ତାକାଲି ମହାମୁକାବିଲା:-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି (ରବିବାର) ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଉଭୟ ଟିମ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି । ଏହି ମ୍ୟାଚ୍‌ରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସାମିଲ ହେବେ । ଏହି ମ୍ୟାଚ୍‌ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କ୍ରିକେଟ ଦେଖିବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details