ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ଦେହାନ୍ତ ଗତ ଶନିବାର ରାତିରେ ହୋଇଛି । ଆଜି କଲ୍ୟାଣ ସିଂଙ୍କ ହେବ ଅନ୍ତିମ ସଂସ୍କାର । କିନ୍ତୁ ଏହି ଦୁଃଖଦ ସମୟରେ ମଧ୍ୟ ତେଜିଛି ବିବାଦ । କାରଣ ତାଙ୍କ ମର ଶରୀରରେ ଢଙ୍କା ଯାଇଥିବା ଜାତୀୟ ପତାକା ଉପରେ ପଡିଛି ବିଜେପିର ଦଳୀୟ ପତାକା । ଯାହା ବେଆଇନ । ଏହାକୁ ନେଇ ବିଜେପିକୁ ଘେରିଛନ୍ତି କଂଗ୍ରେସ, ଆପ ଓ ଟିଏମସି ।
ଶନିବାର କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ବନ୍ଧୁପରିଜନଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ଲକ୍ଷ୍ନୌ ସ୍ଥିତ ବାସଭବନରେ ରଖାଯାଇଥିଲା । ଏତିକି ବେଳେ ରାଷ୍ଟ୍ରୀୟ ସମ୍ମାନାର୍ଥେ ପାଇଁ ତାଙ୍କ ମରଶରୀରରେ ତ୍ରିରଙ୍ଗା ଢଙ୍କା ଯାଇଥିଲା । କିନ୍ତୁ ତ୍ରିରଙ୍ଗା ଉପରେ ପୁଣି ଢଙ୍କାଯାଇଥିଲା ବିଜେପିର ଦଳୀୟ ପତାକା । ଏହାକୁ ନେଇ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ବିବି ଶ୍ରୀନୀବାସ ପଚାରିଛନ୍ତି କଣ ଭାରତର ଜାତୀୟ ପତାକା ଉପରେ କୌଣସି ଦଳର ପତାକା ରଖିବା ଠିକ କି? ଆଉ ଏକ ଟ୍ବିଟ କରି କହିଛନ୍ତି ସମ୍ମାନନୀୟ କଲ୍ୟାଣ ସିଂଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । କିନ୍ତୁ ଦେଶର ଜାତୀୟ ପତାକା ଉପରେ କୌଣସି ଦଳର ପତାକା ରହିପାରିବ କି ? ଜାତୀୟ ପତାକାର ଅପମାନ-ମାତୃଭୂମି ସମ୍ମାନର ନୂଆ ତରିକା ବୋଲି ସେ କଟାକ୍ଷ କରିଛନ୍ତି ।