ବେଙ୍ଗାଲୁରୁ:ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ହେବିଓ୍ବେଟଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ । ଏହାରି ଭିତରେ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହ ଏବେ ଅପଶବ୍ଦ ବ୍ୟବହାର କରିବାରେ ଲାଗିଛନ୍ତି ବିପକ୍ଷ ଦଳ ନେତାଏ । ପ୍ରଧାନମନ୍ତ୍ରୀଙ୍କୁ ନେଇ କଂଗ୍ରେସ ବାରମ୍ବାର ଅପଶବ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିବାରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ୍ ଖଡଗେଙ୍କ ବିରୋଧରେ କର୍ଣ୍ଣାଟକ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ଏନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, "ପ୍ରିୟଙ୍କ୍ କେବେ ବି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ବିବୃତ୍ତି ଦେଇନାହାନ୍ତି, କିନ୍ତୁ ଲୋକମାନେ ଏପରି କହୁଛନ୍ତି ।" କିଛି ଦିନ ପୂର୍ବେ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି କଟାକ୍ଷ କରିଥିବା ବେଳେ ସୋମବାର ତାଙ୍କ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ବୋଲି କହି କଟାକ୍ଷ କରିଛନ୍ତି ।
ସୋମବାର ଦିନ ପ୍ରିୟଙ୍କ ଖଡଗେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ପ୍ରଥମେ ମୋଦିଙ୍କ କାଲାବୁରାଗୀ ଗସ୍ତକୁ ସମାଲୋଚନା କରି କହିଥିଲେ ପ୍ରିୟଙ୍କ । ସେ କହିଥିଲେ, "ଯେତେବେଳେ ପ୍ରଧାନମନ୍ତ୍ରୀ କାଲାବୁରାରୀକୁ ପ୍ରଚାର ପାଇଁ ଆସିଥିଲେ, କହିଥିଲେ ବଞ୍ଜାରା ସମ୍ପ୍ରଦାୟର ନିବାସୀ ଭୟଭୀତ ହେବାର ଆବଶ୍ୟକତା ନାହଁ । କାରଣ ଦିଲ୍ଲୀରେ ବଞ୍ଜାରା ସମ୍ପ୍ରଦାୟର ଜଣେ ପୁଅ ବସିଛି । ଯଦି ପୁଅ ଅଯୋଗ୍ୟ ହୁଏ ତେବେ ଘର କିପରି ଚାଲି ପାରିବ ।"