ପାଟନା: ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ଯୌନ ନିର୍ଯାତନା ଦିଆଯିବା ଘଟଣାର ତାତି କମିନଥିବା ବେଳେ ଏବେ ବିହାରରୁ ମଧ୍ୟ ଜଣେ ଯୁବତୀଙ୍କ ସହ ସମାନ ବର୍ବରତା ହୋଇଥିବା ଖବର ଆସିଛି । ବେଗୁସରାଇରେ ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଗ୍ରାମବାସୀ ସଙ୍ଘବଦ୍ଧ ଭାବେ ଉଲଗ୍ନ କରି ମାଡ ମାରିଥିବା ଘଟଣା ଘଟିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସ୍ଥାନୀୟ ପୋଲିସ କହିଛି, ଏକ ମାମଲା ଦାଏର ହୋଇ ତଦନ୍ତ ଆରମ୍ଭ ହୋଇସାରିଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଛି । ଖୁବଶିଘ୍ର ସେମାନଙ୍କୁ ଗିରଫ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାଟି ବେଗୁସରାଇ ଜିଲ୍ଲାର ତେଗ୍ରା ପୋଲିସ ଷ୍ଟେସନ ଅଧୀନସ୍ଥ ଏକ ଗ୍ରାମରେ ଘଟିଛି । ଜଣେ ଯୁବତୀଙ୍କର ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ତେବେ ଉକ୍ତ ଦିନ ଯୁବତୀଙ୍କୁ ତାଙ୍କ ପ୍ରମିକ ସହ ଠାବ କରିବା ପରେ ସ୍ଥାନୀୟ କିଛି ଗ୍ରାମବାସୀ ଏପରି କରିଥିବା ଚର୍ଚ୍ଚା ହେଉଛି । ଉଭୟ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ନିସ୍ତୁକ ମାଡ ମରାଯିବା ସହ ଯୁବତୀଙ୍କୁ ଉଲଗ୍ନ କରିଦେଇଥିଲେ ଦୁର୍ବୃତ୍ତ । ଉଭୟ ଏହି ଉତ୍ୟକ୍ତ ଭିଡରୁ ଉଦ୍ଧାର ପାଇବା ପାଇଁ ନେହୁରା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ଉଭୟଙ୍କୁ ବେଶ କିଛି ସମୟ ଧରି ବର୍ବରତାର ସହ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ ।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବେଗୁସରାଇ ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି, ‘‘ଆମେ ଏହି ମାମଲାକୁ ଗୁରୁତର ସହ ନେଇଛୁ । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ମଧ୍ଯରୁ ଅନେକ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୀଡିତାଙ୍କ ଚିକିତ୍ସା କରାଯାଇଛି ଓ ତାଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିସାରିଛି । ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।’’