ଅଗରତାଲା: ତ୍ରିପୁରାର ସିପାହୀଜାଲା ଜିଲ୍ଲାରେ ସୋମବାର ବିଜେପି ଓ CPIM ମଧ୍ୟରେ ସଂଘର୍ଷ ଘଟିଛି । ରାଜ୍ୟର ଧାନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ସଂଘର୍ଷ ଘଟିଥିବା ବେଳେ ୧୨ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ତେବେ ବିଜେପି କର୍ମୀମାନେ ବାଶପୁକୁରଠାରେ ବିରୋଧୀ ଦଳ ନେତା ମଣିକ ସରକାରଙ୍କୁ ଧାନପୁର ମଧ୍ୟକୁ ପ୍ରବେଶ କରିବାକୁ ନ ଦେବାରୁ ଏହି ସଂଘର୍ଷ ଘଟିଥିବା ଜଣାପଡ଼ିଛି ।
ବିରୋଧୀ ଦଳ ନେତା ମାଣିକ ସରକାର ପାର୍ଟି ମିଟିଙ୍ଗରେ ସାମିଲ ହେବା ପାଇଁ ଧାନପୁର ଗସ୍ତ କରିଥିଲେ । ତେବେ ସେ ନିଜ ଲକ୍ଷ୍ୟସ୍ଥଳର ପହଞ୍ଚିବାର ୫ରୁ ୬ କିଲୋମିଟର ପୂର୍ବ ବାଶପୁକୁରଠାରୁ ବିଜେପି କର୍ମୀମାନେ ତାଙ୍କ ରାସ୍ତା ଅବରୋଧ କରିଥିଲେ । ଏହି ସଂଘର୍ଷ ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲା । ପୋଲିସ ଅଧିକାରୀମାନେ ମଧ୍ୟ ମଣିକ ସରକାରଙ୍କୁ ଧାନପୁର ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ, କାରଣ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲା । ତେବେ CPIMର ସୂଚନା ଅନୁସାରେ, ମଣିକ ପୋଲିସ ସହିତ ଯୁକ୍ତିତର୍କ କରିବା ସହିତ ତାଙ୍କ ସୁରକ୍ଷା ସମ୍ପର୍କରେ କଥାବାର୍ତ୍ତା ହେଉଥିବା ସମୟରେ ଶହେରୁ ଅଧିକ CPIM କର୍ମୀମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ଘେରି ଯାଇଥିଲେ ।