ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଚଣ୍ଡ ବହୁମତ ସହିତ ସରକାର ଗଠନ କରିସାରିଛି ତୃଣମୂଳ କଂଗ୍ରେସ । କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ରାଜ୍ୟରେ ଥମୁନି ହିଂସା ।
ହତ୍ୟା, ଭଙ୍ଗାରୁଜା ସହ ହିଂସାର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ହୋଇଛି ଆକ୍ରମଣ । ତୃଣମୂଳ କଂଗ୍ରେସ କର୍ମୀ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।
କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡି ଉପରେ ଅତର୍କିତ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିଛି ବଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ କରି କହିଛନ୍ତି, ପଶ୍ଚିମ ମେଦିନାପୁରରେ କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନଙ୍କ ଗାଡି ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ବଙ୍ଗର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ବୋଲି କହିଛନ୍ତି ନଡ୍ଡା ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଲେଖିଛନ୍ତି, ତୃଣମୂଳ କଂଗ୍ରେସର ଏଭଳି ହିଂସାକୁ ବିଜେପି ନିନ୍ଦା କରୁଛି । ମମତା ବାନାର୍ଜୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପୃଷ୍ଠପୋଷକତାର ଏହା ଫଳାଫଳ ବୋଲି ସେ କହିଛନ୍ତି ।