ହାଇଦ୍ରାବାଦ:ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ଯରେ ସାଙ୍ଗଠନିକ ଅଦଳବଦଳ କରିଛି ଭାରତୀୟ ଜନତା ପାର୍ଟି । ଏକାଧିକ ରାଜ୍ୟର ସଭାପତି ପରିବର୍ତ୍ତନ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ପ୍ରଦେଶ ବିଜେପି ସଭାପତି ଭାବେ ଦାୟିତ୍ବ ମିଳିଛି । ସେହିପରି ଡି ପୁରନ୍ଦେଶ୍ବରୀ ଆନ୍ଧ୍ର ପ୍ରଦେଶର ଦଳର ସଭାପତି ଭାବେ ଚୟନ ହୋଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ସୁନିଲ ଜାଖଡଙ୍କୁ ପଞ୍ଜାବ ପ୍ରଦେଶ ବିଜେପି ଅଧ୍ଯକ୍ଷ କରାଯାଇଛି । ସେହିପରି ଝାଡଖଣ୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ।
ତେଲେଙ୍ଗାନାରେ ଏବେ ବିଜେପିର ସାଂସଦ ବଣ୍ଡି ସଞ୍ଜୟ ସଭାପତି ଭାବେ ଦାୟିତ୍ବରେ ରହିଛନ୍ତି । ରାଜ୍ୟରେ ଚଳିତ ଥର ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ତେଣୁ ବିଜେପି କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ନୂଆ ରାଜ୍ୟ ମୁଖିଆ ଭାବେ ଦାୟିତ୍ବ ପ୍ରଦାନ କରିଛି । ସେହିପରି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ ଦଳୀୟ ବିଧାୟକ ଏତଲା ରାଜେନ୍ଦ୍ରଙ୍କୁ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ମିଳିଛି । ଆନ୍ଧ୍ର ପ୍ରଦେଶରେ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏପଟେ ଏହି ଘୋଷଣା ପରେ ତେଲେଙ୍ଗାନା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସାଂସଦ ବଣ୍ଡି ସଞ୍ଜୟ ।