ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ପଶାପାଲି: 5 ସାଂସଦଙ୍କୁ ବାଜିରେ ଲଗାଇଛି ବିଜେପି

ପଶ୍ଚିମବଙ୍ଗର ପଶାପାଲିରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀଙ୍କୁ ଚେକ୍‌ ଦେବାକୁ ବିଜେରି ରଚିଛି ବଡ ରଣନୀତି । ନିର୍ବାଚନୀ ମୈଦାନରେ ସାଂସଦଙ୍କୁ ଛିଡା କରି ବଡ ଗୋଟି ଚାଚଳନା କରିଛି ଦଳ । ଆଉ ବାଜିରେ ଲାଗିଛି ବଡ ବଡ ନେତାଙ୍କ ସାଂସଦ ପଦ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ପଶାପାଲିରେ 5 ସାଂସଦଙ୍କୁ ବାଜିରେ ଲଗାଇଛି ବିଜେପି
ପଶ୍ଚିମବଙ୍ଗ ପଶାପାଲିରେ 5 ସାଂସଦଙ୍କୁ ବାଜିରେ ଲଗାଇଛି ବିଜେପି

By

Published : Mar 19, 2021, 10:45 PM IST

Updated : Mar 20, 2021, 4:57 PM IST

କୋଲକାତା: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ସଜେଇ ହେଉଛି ରଣକ୍ଷେତ୍ର । ସବୁଥର ଅପେକ୍ଷା ଏଥର ଯୁଦ୍ଧର ଆଭିମୁଖ୍ୟ ଭିନ୍ନ । ଆଉ ଭିନ୍ନ ଏହାର ରଣକୌଶଳ । ପଶ୍ଚିମବଙ୍ଗର ପଶାପାଲିରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀଙ୍କୁ ଚେକ୍‌ ଦେବାକୁ ବିଜେରି ରଚିଛି ବଡ ରଣନୀତି । ନିର୍ବାଚନୀ ମୈଦାନରେ ସାଂସଦଙ୍କୁ ଛିଡା କରି ବଡ ଗୋଟି ଚାଚଳନା କରିଛି ଦଳ । ଆଉ ବାଜିରେ ଲାଗିଛି ବଡ ବଡ ନେତାଙ୍କ ସାଂସଦ ପଦ ।

ବର୍ତ୍ତମାନସୁଦ୍ଧା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ସମେତ 5 ଜଣ ସାଂସଦଙ୍କୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ଗତ ତାଲିକାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ହୁଗୁଳି ସାଂସଦ ଲକେଟ ଚାଟାର୍ଜୀ, କୁଚବିହାର ସାଂସଦ ନିସିଦ୍ଧ ପରମାଣିକ ଓ ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଟିକେଟ ଦେଇଥିଲା ଦଳ । ତେବେ ଗୁରୁବାର ଜଗନ୍ନାଥ ସରକାରଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ବିଜେପି ।

କେଉଁ ସାଂସଦ କେଉଁ ସିଟରୁ ଲଢିବେ ନିର୍ବାଚନ?

ଶାନ୍ତିପୁରରୁ ଜଗନ୍ନାଥ ସରକାର

ପଶ୍ଚିମବଙ୍ଗର ରଣଘାଟ ଆସନରୁ 2019ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଜଗନ୍ନାଥ ସରକାର । 1963ରେ ଜନ୍ମିତ ଜଗନ୍ନାଥ ସରକାରଙ୍କ ପୈତୃକ ଘର ଶାନ୍ତିପୁର । ସେ ଶାନ୍ତିପୁର ମହାବିଦ୍ୟାଳୟରୁ ହିଁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମୁକ୍ତମୋଣି ଅଧିକାରୀ ପ୍ରାର୍ଥୀପତ୍ର ନାକଜ ହେବା ପରେ 2019ରେ ରଣଘାଟ ଆସନରୁ ସରକାରଙ୍କୁ ଟିକେଟ ଦେଇଥିଲା ବିଜେପି । ନିକଟତର ପ୍ରତିଦ୍ବନ୍ଦୀ ରୂପାଲୀ ବିଶ୍ବାସଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଜଗନ୍ନାଥ ସରକାର ।

ଚୁରଚୁରାରୁ ଲକେଟ ଚାଟାର୍ଜୀ

ବଙ୍ଗୀୟ ଅଭିନେତ୍ରୀ ତଥା ରାଜନେତ୍ରୀ ଲକେଟ ଚାଟାର୍ଜୀ ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା । ତୃଣମୂଳ କଂଗ୍ରେସର ସଦସ୍ୟ ଭାବେ ରାଜନୈତିକ କ୍ଷେତ୍ରକୁ ପ୍ରବେଶ କରିଥିଲେ ଲକେଟ ଚାଟାର୍ଜୀ । ପରେ 2015ରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇ 2019 ନିର୍ବାଚନରେ ବୃହତ ବିଜୟ ହାସଲ କରିଥିଲେ ଲକେଟ ।

ଲକେଟ ଚାଟାର୍ଜୀ ଜଣେ ଶାସ୍ତ୍ରୀୟ ନିର୍ତ୍ତକୀ ଭାବେ ପରଚିତ । ସେ ଫିଲ୍ମ କ୍ୟାରିୟର ଆରମ୍ଭ ସହିତ ଭାରତନାଟ୍ୟମ, କଥକଲୀ, ମଣିପୁରୀ ନୃତ୍ୟରେ ମଧ୍ୟ ପ୍ରଶିକ୍ଷଣ ଲାଭ କରିଛନ୍ତି । 2019ରୁ ହୁଗୁଳି ଲୋକସଭା ଆସନରୁ ବିଜୟ ହାସଲ କିରିଥିଲେ ଲକେଟ । ସେ ତୃଣମୂଳ କଂଗ୍ରେସର ରତ୍ନା ଡେ ନାଗଙ୍କୁ 73 ହଜାର, 362 ଭୋଟରେ ପରାସ୍ତ କରିଥିଲେ । ଏହାପୂର୍ବରୁ 2017ରେ ରୁପା ଗାଙ୍ଗୁଲିଙ୍କ ସ୍ଥାନରେ ପଶ୍ଚିମବଙ୍ଗ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ହୋଇଥିଲେ ଲକେଟ ।

ଦିନହାଟରୁ ନିଶିଥ ପରମାଣିକ

ପଶ୍ଚିମବଙ୍ଗର କୁଚବିହାରରୁ ଲୋକସଭା ସାଂସଦ ଅଛନ୍ତି ନିଶିଥ ପରମାଣିକ । ଏଥର ଦିନହାଟରୁ ନିଶିଥଙ୍କୁ ଟିକେଟ ଦେଇଛି ବିଜେପି । ବିଜେପିରେ ଯୋଗଦେବା ପୂର୍ବରୁ ତୃଣମୂଳ କଂଗ୍ରେସର ସଦସ୍ୟ ଥିଲେ ପରମାଣିକ ।

ଟାଲିଗଞ୍ଜରୁ ବାବୁଲ ସୁପ୍ରିଓ

କେନ୍ଦ୍ରର ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓଙ୍କୁ ଟାଲିଗଞ୍ଜରୁ ଟିକେଟ ଦେଇଛି ବିଜେପି । ବାବୁଲ ସୁପ୍ରିଓ ୧୫ ଡ଼ିସେମ୍ବର ୧୯୭୦ ରେ ପଶ୍ଚିମବଙ୍ଗର ହୁଗଲି ନଦୀ କୂଳରେ ଥିବା କୋଲକାତାର ଉପାନ୍ତ ସହର ଉତ୍ତରପାରାରେ ଜନ୍ମଗ୍ରହଣ କରିଥିଲେ। ବାବୁଲ ଏକ ସଂଗୀତ ପରିବାରରୁ ଆସିଛନ୍ତି । ସେ ୧୯୯୧ ରେ ସେରାମପୁର କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ସେ ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବରେ ମନୋନୀତ ନିର୍ବାଚନରେ ବିଜୟହାସଲ କରିଥିଲେ। ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରଣାଳୟ ଭାବରେ ନରେନ୍ଦ୍ର ମୋଦୀଙ୍କ ସରକାରରେ ଯୋଗ ଦେଇଥିଲେ । ୯ ନଭେମ୍ବର ୨୦୧୪ ରେ ଗୃହ ଓ ସହରୀ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟରେ ସେ ସର୍ବ କନିଷ୍ଠ ମନ୍ତ୍ରୀ ହୋଇଥିଲେ ସୁପ୍ରିଓ ।

ବାବୁଲ ସୁପ୍ରିଓ ୧୨ ଜୁଲାଇ ୨୦୧୬ ପର୍ଯ୍ୟନ୍ତ ଏହି ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ, ଯାହା ପରେ ତାଙ୍କ ପୋର୍ଟଫୋଲିଓକୁ ଭାରୀ ଶିଳ୍ପ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରୀ ଭାବରେ ପରିବର୍ତ୍ତନ କରାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସୁପ୍ରିଓ ପୁନର୍ବାର ଆସାନସୋଲ ଲୋକସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବରେ ଚନ୍ଦ୍ର ସେନଙ୍କୁ ୧.୯୭ ଲକ୍ଷ ଭୋଟରେ ପରାସ୍ତ କରି ମୋଟ ୬.୩୨ଲକ୍ଷ ଭୋଟ ହାସଲ କରିଥିଲେ । ମେ ୨୦୧୯ରେ ସେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ହୋଇଥିଲେ ସୁପ୍ରିଓ ।

ତାରକେଶ୍ବରରୁ ସ୍ବପନ ଦାଶଗୁପ୍ତା

ସ୍ବପନ ଦାଶଗୁପ୍ତା ବଙ୍ଗ ରାଜନୀତିର ଜଣେ ବଡ ଚେହେରା । ସେ ବୃତ୍ତିରେ ଜଣେ ସାମ୍ବାଦିକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସ୍ବପନଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗର ତାରକେଶ୍ବର ବିଧାନସଭା ଆସନରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି ସ୍ବପନ । ଏପ୍ରିଲ 2016ରେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ ଦାସଗୁପ୍ତା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କୁ 2015ରେ ମିଳିଥିଲା ପଦ୍ମଭୂଷଣ ସମ୍ମାନ ।

ସେପଟେ ଏହି ବିଧାନସଭା ନିର୍ବାଚନ ଲଢୁଥିବା ନେତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀର ରାଜନୈତିକ ଗଣିତ ଉପରେ ଯଦି ନଜର ପକାଇବା ତାହେଲେ ଗତ ନିର୍ବାଚନରେ ଏହି ସବୁ ଆସନରେ ବିଜେପିର ଭୋଟ ସେୟାରରେ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି । ତେବେ ଆସନ୍ତୁ ଜାଣିବା ଗତ ଲୋକସଭା ନିର୍ବାଚନରେ 5 ସାଂସଦଙ୍କ ସଂସଦୀୟ କ୍ଷେତ୍ରର ଭୋଟ ସେୟାର ଗଣିତ...

ରଣଘାଟ ଆସନ

ଶାନ୍ତିପୁରରୁ ନିର୍ବଚନ ଲଢୁଥିବା ଜଗନ୍ନାଥ ସରକାର ରଣଘାଟ ଲୋକସଭା ଆସନରୁ ଅଛନ୍ତି ଲୋକସଭା ସାଂସଦ । ରଣଘାଟରେ ଲୋକସଭା ନିର୍ବାଚନୀ ମଣ୍ଡଳ ଅଧିନରେ ରହିଥି 7 ବିଧାନସଭା ଆସନ । ଏହି ଲୋକସଭା ଆସନରୁ 7 ଲକ୍ଷ 83 ହଜାର 254 ଭୋଟରେ ଜିତିଥିଲେ ଜଗନ୍ନାଥ ସରକାର । 2019 ଲୋକସଭା ନିର୍ବାଚନରେ ଏଠାରେ ବିଜେପିର 53 ପ୍ରତିଶତ ଭୋଟ ଶେୟାର ଥିଲା ।

ହୁଗୁଳି ଆସନ

ଚୁରଚୁରାରୁ ନିର୍ବାଚନ ଲଢୁଥିବା ଲକେଟ ଚାଟାର୍ଜୀ ଗୁଗୁଳି ଲୋକସଭା ଆସନରୁ ଅଛନ୍ତି ସାଂସଦ । ହୁଗୁଳି ଲୋକସଭା ନିର୍ବାଚନୀମଣ୍ଡଳୀ ଅଧିନରେ ରହିଛି 7 ବିଧାନସଭା ଆସନ । ଏହି ଲୋକସଭା ଆସନରୁ 6 ଲକ୍ଷ 71 ହଜାର 448 ଭୋଟରେ ଜିତିଥିଲେ ଲକେଟ ଚାଟାର୍ଜୀ । 2019ରେ ଏହି ଆସନରେ ବିଜେପିର ଭୋଟ ପ୍ରତିଶତ ଥିଲା 46.03 ।

କୁଚବିହାର

ଦିନହାଟଚରୁ ନିର୍ବାଚନ ଲଢୁଥିବା ନିଶିଥ ପରମାଣିକ କୁଚବିହାର ଲୋକସଭା ଆସନରୁ ଅଛନ୍ତି ସାଂସଦ । କୁଚବିହାର ନିର୍ବାଚନୀମଣ୍ଡଳୀ ଅଧିନରେ ରହିଛି 9 ବିଧାନସଭା ଆସନ । ଏଥିମଧ୍ୟରୁ 8ଟି ସିଟରୁ 2019ରେ ତୃଣମୂଳ କଂଗ୍ରେସର ବିଧାୟକ ଜିତିଥିଲେ ନିର୍ବାଚନ ।

ଆସାନସୋଲ

ଟାଲିଗଞ୍ଜରୁ ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଆସନସୋଲ ନିର୍ବାଚନମଣ୍ଡଳୀରୁ ଅଛନ୍ତି ସାଂସଦ । ଏହି ଲୋକସଭା ଆସନରୁ 6 ଲକ୍ଷ 33 ହଜାର 378ଭୋଟରେ ନିର୍ବାଚନ ଜିତିଥିଲେ ବାବୁଲ ସୁପ୍ରିଓ । 2019 ଲୋକସଭା ନିର୍ବାଚନରେ ଏହି ଆସନରେ ବିଜେପିର ଭୋଟ ପ୍ରତିଶତ ଥିଲା 51.16 ।

ଏପେଟେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ନିର୍ବାଚନ ଲଢିବାକୁ ଯାଉଥିବା ଟୋଲିଗଞ୍ଜର ବିଧାନସଭା ଆସନର ରାଜନୈତିକ ଗଣିତ ଉପରେ ପକାନ୍ତୁ ନଜର । ଟୋଲିଗଞ୍ଜ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଏକ ବିଧାନସଭା ଆସନ, ଯାହାକି ଯାଦବପୁର ଲୋକସଭା ନିର୍ବାଚନୀମଣ୍ଡଳୀ ଅଧିନରେ ଆସୁଛି ।

2016 ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଟାଣୁଆ ନେତା ଅରୁପ ବିଶ୍ବାସ 90 ହଜାର 603 ଖଣ୍ଡ ଭୋଟରେ ନିକଟବର୍ତ୍ତୀ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବୃହତ ବିଜୟ ହାସଲ କରିଥିଲେ । 2011 ବିଧାନସଭା ନିର୍ବାଚନରେ ମଧ୍ୟ ସିପିଏମ ପ୍ରାର୍ଥୀ ପ୍ରାର୍ଥୀ ପ୍ରିତମଙ୍କୁ ହରାଇ ବିଜୟୀ ହୋଇଥିଲେ ଅରୁପ ବିଶ୍ବାସ । ତେବେ ବଟୋଲିଗଞ୍ଜରୁ ଅରୁପ ବିଶ୍ବାସଙ୍କ କ୍ରମାଗତ ବିଜୟକୁ ଦୃଷ୍ଟିରେ ରଖି ହୁଏତ କୌଣସି ବଡ ଚେହେରାର ସନ୍ଧାନରେ ଥିଲା ବଜେପି । ଏନେଇ ବାବୁଲ ସୁପ୍ରିଓଙ୍କୁ ଏହି ନିର୍ବାଚମଣ୍ଡଳୀରୁ ଟିକେଟ ଦେଇ ଟିଏମସିକୁ ମାତ ଦେବାକୁ ଚାହୁଁଛି ଦଳ । ଅନ୍ୟପକ୍ଷେ ଯାଦବପୁର ଲୋକସଭା ଆସନରେ ତୃଣମୂଳ କଂଗ୍ରେସରୁ ଏବେ ସାଂସଦ ଅଛନ୍ତି ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ମିମି ଚକ୍ରବର୍ତ୍ତୀ ମଧ୍ୟ ନିଜ ନିର୍ବାଚନମଣ୍ଡଳୀରୁ ଜୋରଶୋରରେ ପ୍ରଚାର ମଙ୍ଗ ସମ୍ଭାଳିବେ । ତେବେ ଏନେଇ ମଧ୍ୟ ମିମିଙ୍କ ପ୍ରଚାର ବିରୋଧରେ ବାତାବରଣ ସୃଷ୍ଟି କରିବା ପାଇଁ ସେହି ମନୋରଞ୍ଜନ ଜଗତରୁ ଆସୁଥିବା ବାବୁଲ ସୁପ୍ରିଓଙ୍କୁ ବିଜେପି ଟିକେଟ ଦେଇଥିବା ଅନୁମାନକୁ ମଧ୍ୟ ଏଡାଇ ଦିଆଯାଇନପାରେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତେବେ ପାଖେଇ ଆସୁଥି ରାଜନୈତିକ ପାଣିପାଗର ଦୃଷ୍ୟପଟ ସେତେ ଧୂମିଳ ନଜର ଆସୁଛି । ପ୍ରଶ୍ନ ଉଠୁଛି କଣ ପାଇଁ ଏକାଧିକ ସାଂସଦଙ୍କୁ ଟିକେଟ ଦେଇଛି ବିଜେପି । ଯଦି ବିଜେପି ସରକାର ଗଠନ କରିବାରେ ସଫଳ ହୁଏ, ତାହେଲେ ସାଂସଦମାନଙ୍କୁ ମିଳିପାରେ ମନ୍ତ୍ରୀପଦ । ଅନ୍ୟପକ୍ଷେ ଯଦି ବିଜେପି ପରାଜୟର ସାମ୍ନା କରୁଛି ଏହି 5 ସାଂସଦଙ୍କ ଭାଗ୍ୟରେ କଣ ହେବ ତାହା ମଧ୍ୟ ଆକଳନ କରିବା କଷ୍ଟ । ତେବେ ନିର୍ବାଚନୀ ମୈଦାନରେ ଥିବା ବିଜେପିର ସାଂସଦ କେତେଦୂର ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ମାତ ଦେବାରେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2021, 4:57 PM IST

ABOUT THE AUTHOR

...view details