ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ଦଳ ସମସ୍ତ ୬୦ ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ଏନ.ବିରେନ ସିଂ ହିଗଙ୍ଗ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସରକାରର ପୂର୍ତ୍ତମନ୍ତ୍ରୀ ଥାଙ୍ଗମ ବିଶ୍ୱଜିତ ସିଂ ଥଙ୍ଗଜୁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ ପାଇଛନ୍ତି ।
ସେହିପରି ଏହି ପ୍ରାର୍ଥୀ ତାଲିକାରେ ବେଶ ଭାରସାମ୍ୟ ରଖିବାକୁ ଚେଷ୍ଟା କରିଛି ଦଳ । ଏଥିରେ ମହିଳା, ଡାକ୍ତର, ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କ୍ରିଡାବିତଙ୍କୁ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ମାର୍ଶଲ ଆର୍ଟ ଖେଳାଳି ଯୁମନମ କେମଚାନ୍ଦ ସିଂଙ୍କୁ ଟିକେଟ ଦିଆଯାଇଛି । ବିଜେପି ତିନିଜଣ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ଟିକେଟ ପ୍ରଦାନ କରିଛି । ସେମାନଙ୍କ ମଧ୍ୟରେ ନିକଟରେ ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସକ ରଘୁମଣି ସିଂ, ୟେଙ୍ଗଖୋମ ସୁରଚନ୍ଦ୍ର ସିଂ ଏବଂ ଡିଙ୍ଗାଙ୍ଗଲୁଙ୍ଗ ଗାଙ୍ଗମେଇ (ଦିପୁ)ଙ୍କ ନାମ ସାମିଲ ରହିଛି ।
ତେବେ ଚଳିତ ନିର୍ବାଚନରେ ୩ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ବିଜେପି । ପୂର୍ବ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କ ଟିକେଟ ମଧ୍ୟ କଟାଯାଇଛି । ଆଜି ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ଦଳର ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର ଦଳ ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସମ୍ବିତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ ସମୟରେ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା ।