ହାଇଦ୍ରାବାଦ:ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ନିର୍ବାଚନ ଆୟୋଗ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ବିଜ୍ଞପ୍ତି ଘୋଷଣା କରିବାର ମାତ୍ର କେଇଁ ଘଣ୍ଟା ମଧ୍ୟରେ ବିଜେପି 3 ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଛତିଶଗଡ ପାଇଁ ପୂର୍ବରୁ ଗୋଟିଏ ପର୍ଯ୍ୟାୟ ଓ ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ରାଜସ୍ଥାନରେ ଖାତା ଖୋଲିଛି ଦଳ ।
ଆଜି ପ୍ରଥମ ପର୍ଯ୍ୟାୟରେ ଦଳ ରାଜସ୍ଥାନ ପାଇଁ 41 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ସେହିପରି ଛତିଶଗଡ ପାଇଁ 64 ପ୍ରାର୍ଥୀ ଏବଂ ମଧ୍ୟ ପ୍ରଦେଶ ପାଇଁ 57 ଜଣ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଛି । ଛତିଶଗଡ ପାଇଁ ଏହା ହେଉଛି ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆଜି 57 ଜଣ ପ୍ରାର୍ଥୀଙ୍କ ନାମ ସହ 3ୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି ଦଳ । ମଧ୍ୟ ପ୍ରଦେଶର ବୁଦ୍ଧନି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦଳ ଟିକେଟ ପକ୍ଷରୁ ଦିଆଯାଇଛି । ଅନ୍ୟତମ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଦାଟିଆ ଆସନରୁ ମୈଦାନକୁ ଓହ୍ଲାଇଛି ଦଳ ।
ରାଜସ୍ଥାନରେ କାହାକୁ ମିଳିଲା ଟିକେଟ ?
ଦଳ ପ୍ରଥମ ପର୍ଯ୍ୟାୟରେ 41ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ କିରୋଡିଲାଲ ମୀନାଙ୍କୁ ସାୱାଇ ମାଧୋପୁରରୁ ମୈଦାନକୁ ଓହ୍ଲାଇଛି । ସେହିପରି ଅନ୍ୟ ପ୍ରମୁଖ ଚେହେରା ଭାବେ ଭାଗୀରଥ ଚୌଧୁରୀ, ବାଲକନାଥ, ନରେନ୍ଦ୍ର କୁମାର ଏବଂ ଦେବଜୀ ପଟେଲଙ୍କୁ ମଧ୍ୟ ନିର୍ବାଚନ ଲଢାଇବାକୁ ଦଳ ନିଷ୍ପତ୍ତି ନେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଜୟପୁରରୁ ଟିକେଟ ଦେଇଛି ଦଳ ।