ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତକାଲି 72.81 ପ୍ରତିଶତ ସହ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମାତ୍ର ଦୁଇ ଦିନ ବ୍ୟବଧାନରେ ଫଳାଫଳ ପ୍ରକାଶିତ ହେବାକୁ ଥିବା ବେଳେ ଏକଜିଟ ପୋଲର ପୂର୍ବାକଳନ ପରେ ସମସ୍ତେ ଏବେ ଚିନ୍ତାରେ । କାରଣ ପାରମ୍ପରିକ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତଥା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଉଭୟ ବହୁମତ ଠାରୁ ଦୂରରେ ରହିବେ । ଏହାରି ମଧ୍ୟରେ ସମସ୍ତ ଦଳ କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଜନତାଙ୍କ ଆର୍ଶୀବାଦ ପାଇବାକୁ ଯାଉଥିବା ଦମ୍ଭ ଦେଖାଇବାରେ ଲାଗିଛନ୍ତି । ତେବେ ନଜର ପକାନ୍ତୁ କିଏ କେତେ ଆସନ ନେଇ ଆଶାବାଦୀ ।
ୟେଦୁରପ୍ପା:-
ନିର୍ବାଚନ ଲଢିନଥିଲେ ସୁଦ୍ଧା କର୍ଣ୍ଣାଟକରେ ବିଜେପିର ସବୁଠୁ ଲୋକପ୍ରିୟ ଓ ବଡ ଚେହେରା କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାସରକାର ଗଠନ କରିବା ନେଇ ଆଶାବାଦୀ ରହିଛନ୍ତି । ଦଳ ନିର୍ବାଚନ ପୂର୍ବରୁ 150 ରୁ ଅଧିକ ଆସନ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ବେଳେ ଏବେ ମଧ୍ୟ 115 ଆସନ ସହ ସରକାର ଗଢିବାରେ ସକ୍ଷମ ହେବ ବୋଲି ୟେଦୁରପ୍ପା କହିଛନ୍ତି । ସେହିପରି ନିର୍ବାଚନ ଲଢିଥିବା ତାଙ୍କ ପୁଅ ବିଜୟେନ୍ଦ୍ର ମଧ୍ୟ 40,000 ରୁ ଅଧିକ ଭୋଟ୍ ଜିତିବେ ବୋଲି ୟେଦୁରପ୍ପା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବୋମ୍ମାଇ:
ତେବେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଏକଜିଟ ପୋଲ କେବେ ଏକଜାଟ ପୋଲ ନୁହେଁ କହି ଆକଳନକୁ ଅତି ହାଲୁକା ଭାବରେ ରହିଛନ୍ତି । ଏକଜିଟ ପୋଲ କେବେ 100 ପ୍ରତିଶତ ସତ୍ୟ ହୁଏ ନାହିଁ କହି ସେ 2018 ମହିସାର ଟ୍ରେଣ୍ଡର ଉଦାହରଣ ଦେଇଛନ୍ତି । 2018 ନିର୍ବାଚନରେ କଂଗ୍ରେସ 107 ଏବଂ ବିଜେପି 80 ପାଇବା ନେଇ ଏକଜିଟ ପୋଲ କହିଥିଲା, ହେଲେ ଫଳାଫଳ କିଛି ଭିନ୍ନ ହୋଇଥିଲା । ଚଳିତ ଥର ମଧ୍ୟ ବିଜେପି ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ସରକାର ଗଠନ କରିବାକୁ ଯାଉଥିବା ସେ ଦାବି କରିଛନ୍ତି ।
ବି.ଏଲ୍ ସନ୍ତୋଷ:ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଟ୍ବିଟ କରି ଏକଜିଟ ପୋଲ ଉପରେ ନିଜର ପ୍ରତିକ୍ରିୟା ରଖି ଲେଖିଛନ୍ତି, ପୂର୍ବ ଫଳାଫଳ ସମ୍ପର୍କରେ ମଧ୍ୟ କେହି ସଠିକ ପୂର୍ବାକଳନ କରିପାରିନଥିଲେ । ଏଥର ବିଜେପି କ୍ଷମତାକୁ ଆସିବ ।