କୋଲକାତା:ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡ ଘଟଣାରେ ଆଉ ଜଣେ ଆହତ ମହିଳାଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ପୀଡିତା ଆଜି (ରବିବାର) ହସ୍ପିଟାଲରେ ଆଖି ବୁଜିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି ।
ଅଗ୍ନିକାଣ୍ଡରେ ମହିଳାଙ୍କ ଶରୀରର 27 ପ୍ରତିଶତ ପୋଡି ଯାଇଥିବା ପ୍ରାଥମିକ ଭାବେ ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା । ସେ କିଛି ଦିନ ଚିକିତ୍ସାଧୀନ ରହିବା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ଯୋଗୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି ତାଙ୍କର ସମସ୍ୟା ଦେଖାଯିବାରୁ ତାଙ୍କୁ ଦ୍ବିତୀୟ ଥର ପାଇଁ ରାମପୁରହାଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିବାବେଳେ ଆଜି (ରବିବାର) ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।