ହାଇଦ୍ରାବାଦ:ପ୍ରଖ୍ୟାତ ଆମେରିକୀୟ ନିବେଶକ ତଥା ନିବେଶ ପରିଚାଳନା କମ୍ପାନୀ ‘ବ୍ରିଜ୍ ୱାଟର୍ ଆସୋସିଏଟ୍ସ’ର ପ୍ରତିଷ୍ଠାତା ରାଇ ଡାଲିଓ ଭାରତର ଅଭିବୃଦ୍ଧି ହାରକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ବର୍ତ୍ତମାନ ଭାରତରେ ସର୍ବାଧିକ ଅଭିବୃଦ୍ଧି ହାର ରହିଛି । ସେ 1980 ଦଶକର ଚୀନର ଆର୍ଥିକ ସ୍ଥିତି ସହିତ ଭାରତବ ବର୍ତ୍ତମାନ ସ୍ଥିତିକୁ ତୁଳନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ପୂର୍ବତନ ନେତା ଡେଙ୍ଗ ଜିଆଓପିଙ୍ଗଙ୍କ ସହ ମଧ୍ୟ ତୁଳନା କରିଛନ୍ତି ।
ଡେଙ୍ଗ ଜିଆଓପିଙ୍ଗଙ୍କ ଶାସନ କାଳରେ ଚୀନରେ ଅର୍ଥନୀତି ଏବଂ ପୁଞ୍ଜିବାଦୀ ଉଦ୍ୟୋଗ ସୃଷ୍ଟି ହେବା ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଥିଲା । ଏହା ସହ ଚୀନର ଅର୍ଥନୀତିକୁ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ମଧ୍ୟ ସଜହ ଓ ସରଳ କରିବାର ଶ୍ରେୟ ଡେଙ୍ଗ ଜିଆଓପିଙ୍ଗଙ୍କୁ ଯାଏ । ବର୍ତ୍ତମାନ ସମୟରେ ଭାରତରେ ମଧ୍ୟ ଭଲ ଅଭିବୃଦ୍ଧି ହାର ରହିଛି ଓ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡେଙ୍ଗ ଜିଆଓପିଙ୍ଗଙ୍କ ପରି ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି ରାଇ ଡାଲିଓ ।
ଲସ୍ ଆଞ୍ଜେଲ୍ସର UCLA କ୍ୟାମ୍ପସରେ ଅଲ୍-ଇନ୍ ସମ୍ମିଟ୍ 2023 ରେ ସେ କହିଛନ୍ତି ଯେ “ଭାରତ ନିକଟରେ ବର୍ତ୍ତମାନ ସର୍ବାଧିକ ସମ୍ଭାବିତ ବିକାଶ ଦର ରହିଛି । ଭାରତର ଆଗାମୀ 10ବର୍ଷ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାର ପୂର୍ବାକଳନ ଆମେ କରିପାରିବା । ଭାରତ ଏବେ ଏକ ଭଲ ସ୍ଥିତିରେ ରହିଛି, ଯେଉଁଠି ଦିନେ ଚୀନ ଥିଲା । 1984 ରେ ମୁଁ ନିବେଶ ଆରମ୍ଭ କରିବା ବେଳେ ଚୀନ ଯେପରି ସ୍ଥିତିରେ ଥିଲା ଏବେ ଭାରତ ମଧ୍ୟ ସେପରି ନିବେଶ ଅନୁକୂଳ ସ୍ଥିତିରେ ରହିଛି । ଯଦି ଦୈନିକ ମୁଣ୍ଡପିଚ୍ଛା ଆୟ କଥା ବିଚାର କରାଯାଏ, ତେବେ ନରେନ୍ଦ୍ର ମୋଦି ଡେଙ୍ଗ ଜିଆଓପିଙ୍ଗଙ୍କ ପରି ଭୂମିକାରେ ରହିଛନ୍ତି । ଭାରତରେ ବ୍ୟାପକ ସଂସ୍କାର, ଅଭିବୃଦ୍ଧି, ସୃଜନଶୀଳତା ସହ ଅନ୍ୟ ସମସ୍ତ ଆହ୍ବାନ ମଧ୍ୟ ରହିଛି । ହେଲେ ଭାରତରେ ସମ୍ଭାବନା ମଧ୍ୟ ପର୍ଯ୍ୟାପ୍ତ ।