ନୂଆଦିଲ୍ଲୀ:ବହୁଚର୍ଚ୍ଚିତ 2002 ଗୁଜୁରାଟ ଦଙ୍ଗା ବେଳେ ବିଲକିସ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଗୁଜୁରାଟ ସରକାରଙ୍କ ଦ୍ବାରା ମୁକ୍ତ ହୋଇଥିବା 11 ଦୋଷୀଙ୍କୁ ପୁଣି ଥରେ ଜେଲକୁ ଫେରାଇବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏହି ରାୟରେ ସନ୍ତୋଷ ପ୍ରକାଶ କରିବା ସହ ଭାବବିହ୍ବଳ ହୋଇଛନ୍ତି ପୀଡିତା ବିଲକିସ ବାନୋ । ସର୍ବୋଚ୍ଚ କୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଆଜି ତାଙ୍କ ପାଇଁ ପ୍ରକୃତର ନୂଆବର୍ଷ ବୋଲି ସେ କହିଛନ୍ତି । ସେ ଆଜି ନ୍ୟାୟର ପ୍ରକୃତ ସଂଜ୍ଞାକୁ ଅନୁଭବ କରୁଛନ୍ତି । ବହୁବର୍ଷ ପରେ ସେ ଆଜି ହସିଛନ୍ତି ବୋଲି ବାନୋ କହିଛନ୍ତି ।
ନିଜ ଆଇନଜୀବୀ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ବାନୋ ଏହି ପ୍ରତିକ୍ରିୟା ରଖିଛନ୍ତି । ବାନୋ କହିଛନ୍ତି ଯେ ଆଜି ତାଙ୍କ ପାଇଁ ପ୍ରକୃତରେ ନୂଆବର୍ଷ । କାରଣ ତାଙ୍କ ପରିବାରକୁ ହତ୍ୟା ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିବା 11 ଜଣ ଦୋଷୀ ଖୁବଶୀଘ୍ର ଜେଲକୁ ଫେରିବେ । ସେ ଦେଢ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ହସିବାର ଅବସର ପାଇଛନ୍ତି । ରାୟ ଆସିବା ପରେ ନିଜ ପିଲାଙ୍କୁ ସେ ଆଲିଙ୍ଗନ କରିଛନ୍ତି । ଦୀର୍ଘ ବର୍ଷ ହେବ ତାଙ୍କ ଛାତିରେ ଲଦି ହୋଇଥିବା ପର୍ବତ ପରି ବିଶାଳ ପଥର ଯେପରି ଆଜି ହଟିଯିବା ପରି ତାଙ୍କୁ ଅନୁଭବ ହେଉଛି । ସେ ଆଜି ଶାନ୍ତିରେ ନିଶ୍ବାସ ନେଇଛନ୍ତି ।
ସର୍ବୋଚ୍ଚ କୋର୍ଟଙ୍କୁ ଧନ୍ୟବାଦ ଦେଇ ବୋନେ କହିଛନ୍ତି, ‘‘ ନ୍ୟାୟ ପାଇବା ପରେ ଏପରି ଅନୁଭବ ହୁଏ । ମୋତେ, ମୋର ପିଲାମାନଙ୍କୁ ଏବଂ ସବୁସ୍ଥାନର ମହିଳାମାନଙ୍କୁ ସାମାନ ନ୍ୟାୟର ପ୍ରତିଶୃତି ଓ ଆଶା ଦେଇଥିବାରୁ ମୁଁ ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଉଛି ।’’