ନୂଆଦିଲ୍ଲୀ:ବହୁଚର୍ଚ୍ଚିତ 2002 ଗୁଜୁରାଟ ଦଙ୍ଗା ବେଳେ ହୋଇଥିବା ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯିବା ମାମଲାର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଦୋଷୀଙ୍କୁ ମୁକ୍ତ କରାଗଲା ପରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ପୀଡିତା ବାନୋ ନିଜେ ଚ୍ୟାଲେଞ୍ଜ କରିଥିଲେ । ଆଜି କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଦଲିଲ ଦାଖଲ କରିବା ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ବି.ଭି ନାଗରତ୍ନା ଓ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ମୁଖ୍ୟ ପୀଡିତା ବାନୋଙ୍କ ସହ ଏକାଧିକ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ମଧ୍ୟ ଆବେଦନକାରୀ ଭାବେ ରହିଛନ୍ତି । କୋର୍ଟ ଆଜି ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରତିପକ୍ଷଙ୍କ ଜବାବ ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାରଙ୍କୁ ଦୋଷୀଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ସୁଦ୍ଧା ଉଭୟ ସରକାର ଅରିଜିନାଲ ଦଲିଲ ସହ ନିଜର ଉତ୍ତର ରଖିବେ । ଏହା ପରେ ମାମଲାର ରାୟ ପ୍ରକାଶ ପାଇବ ।
କ’ଣ ଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା:-
2002ରେ ଗୁଜୁରାଟ ଗୋଧ୍ରାରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ 21 ବର୍ଷୀୟା ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବାନୋ ସେ ସମୟରେ ଗର୍ଭବତୀ ମଧ୍ୟ ଥିଲେ । ଏଥିରେ ବାନୋଙ୍କ ପରିବାରର 7ଜଣଙ୍କୁ ନିର୍ମମ ହତ୍ୟା ମଧ୍ୟ କରାଯାଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାନୋଙ୍କ 3ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଥିଲା । ପରେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତଥ୍ୟ ପ୍ରମାଣ ଆଧାରରେ 11ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।