ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ 11 ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ ଦାଏର ହୋଇଥିବା ମାମଲାର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ହେଲେ ମାମଲାର ଜଣେ ଦୋଷୀ କୋର୍ଟରେ ଉପସ୍ଥିତ ନଥିବାରୁ ଶୁଣାଣି ବନ୍ଦ କରିଛନ୍ତି କୋର୍ଟ । ମୁକ୍ତ ହୋଇଥିବା ସମସ୍ତ ଦୋଷୀଙ୍କୁ ଶୁଣାଣିରେ ଉପସ୍ଥିତ ରହିବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ହେଲେ ଜଣେ ଦୋଷୀ କୋର୍ଟରେ ଉପସ୍ଥିତ ରହିନଥିଲା । ଯାହାକୁ ନେଇ କୋର୍ଟ ଗୁଜୁରାଟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ସମସ୍ତ ଦୋଷୀଙ୍କ ସମ୍ପର୍କରେ ଜାରି କରାଯାଇଥିବା ନୋଟିସକୁ ଆଞ୍ଚଳିକ ଖବର କାଗଜରେ ପ୍ରକାଶିତ କରିବା ନେଇ ମଧ୍ୟ କୋର୍ଟ କହିଥିଲେ । ଆଜି ଏହି କାରଣରୁ ମାମଲାର ଶୁଣାଣି ସ୍ଥଗିତ ରହିଥିବା ବେଳେ 11 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ମାମଲାର 11 ଦୋଷୀଙ୍କ ମଧ୍ୟରୁ ଜଣେ ପ୍ରଦୀପ ଆର ମୌଡ୍ୟା ଆଜି ଅନୁପସ୍ଥିତ ଥିଲା । ତାକୁ କୋର୍ଟଙ୍କ ନୋଟିସ ମିଳିନଥିବା ମଧ୍ୟ ସୂଚନା ମିଳିଛି ।ସେ ତାର ଘରେ ନାହିଁ ଓ ଫୋନ ଅଫ ଥିବାରୁ ପୋଲିସ ତାହା ସହ ଯୋଗାଯୋଗ କରିବାରେ ସଫଳ ହୋଇନଥିଲା ପୋଲିସ । ଏହି ସୂଚନା ମିଳିବା ପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସମସ୍ତ ଦୋଷୀ ଉପସ୍ଥିତ ରହିଲେ ଶୁଣାଣି କରିବା ପାଇଁ କହି 11 ତାରିଖକୁ ସମୟ ଧାର୍ଯ୍ୟ କରିଥିଲେ । କୋର୍ଟଙ୍କ ନୋଟିସ ଗୁଜୁରାଟୀ ଖବର କାଗଜରେ ବିଜ୍ଞାପନ ଦେବାକୁ ମଧ୍ୟ କୋର୍ଟ କହିଥିଲେ । 11 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।