ଇସଲାମାବାଦ:ପାକିସ୍ତାନର ନୂତନ ବୈଦେଶିକ ମନ୍ତ୍ରୀ ହୋଇପାରନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ର ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ । ଆଜି ଫେଡରାଲ (କ୍ୟାବିନେଟ) ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେ । ରାଷ୍ଟ୍ରପତି ଆରିଫ ଅଲଭି 33 ବର୍ଷୀୟ ବିଲାଓ୍ବଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ଓ ଅନ୍ୟ କିଛି ପ୍ରମୁଖ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କର ଶପଥ ଗ୍ରହଣ ପରେ ପାକିସ୍ତାନ ମିଡିଆରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ବୈଦେଶିକ ମନ୍ତ୍ରୀ ଭେବେ ଦାୟିତ୍ୱ ମିଳିପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ସରିଫ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଏକ ବଡ ଦାୟିତ୍ବ ମିଳିବା ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିପାରେ ।
2018 ରେ ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇ ଜାତୀୟ ରାଜନୀତିରେ ସକ୍ରିୟ ଭାବେ ଆତ୍ମପ୍ରକାଶ କରିଥିବା ବିଲାଓ୍ବଲ ଚଳିତ ଥର ପ୍ରଥମ ଥର ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇପାରନ୍ତି । ବୈଦେଶିକ ମନ୍ତ୍ରୀ ଭାବେ ସେ ବେଶ୍ କିଛି ଆହ୍ବାନର ସାମ୍ନା କରିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହେବା ସମୟରେ, ସେ (ଇମ୍ରାନ ଖାନ) ଦେଇଥିବା ଆମେରିକା ବିରୋଧୀ ବୟାନ ମଧ୍ୟ ତାଙ୍କ (ବିଲାଓ୍ୱଲ) ପାଇଁ ଏକ ବଡ ଆହ୍ବାନ ଆଣିପାରେ । ଆମେରିକା ସହ ସମ୍ପର୍କ ସୁଧାରିବା ଓ ଅନ୍ୟ କିଛି ବୈଦେଶିକ ପ୍ରସଙ୍ଗରେ ମଧ୍ୟ ତାଙ୍କ ନେତୃତ୍ବ ଉପରେ ସାରା ଦେଶର ନଜର ରହିଛି ।