ଓଡିଶା

odisha

ETV Bharat / bharat

ପରିଣତ ବୟସରେ ବି ପାଠ ପଢ଼ିବାର ପଣ, ହାସଲ କଲେଣି 14 MA ଡିଗ୍ରୀ - ୧୪ଟି ବିଷୟରେ ଏମ୍‌ଏ କରିଛନ୍ତି ଏସ୍‌ଭି ପୁରୋହିତ

ଶିକ୍ଷା ଲାଭ କରିବାର କ୍ଷୁଧା ଥିଲେ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନ କିମ୍ବା ଯେକୌଣସି ପଦବୀରେ ରହି ତାହା ହାସଲ କରି ପାରିବ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଛତିଶଗଡ଼ କୋରବା ଜିଲ୍ଲା ଆଇନଜୀବୀ ଏସ୍‌.ଭି. ପୁରୋହିତ । ଏବେ ସୁଦ୍ଧା ୧୪ଟି ବିଷୟରେ କରିଛନ୍ତି ପୋଷ୍ଟ ଗ୍ରାଜୁଏସନ । ଅଧିକ ପଢ଼ନ୍ତୁ

ପରିଣତ ବୟସରେ ବି ପାଠ ପଢ଼ିବାର ପ୍ରଣ, ହାସଲ କଲେଣି 14 MA ଡିଗ୍ରୀ
ପରିଣତ ବୟସରେ ବି ପାଠ ପଢ଼ିବାର ପ୍ରଣ, ହାସଲ କଲେଣି 14 MA ଡିଗ୍ରୀ

By

Published : Mar 25, 2022, 4:04 PM IST

ରାୟପୁର: କୁହାଯାଏ ପାଠ ପଢ଼ିବାର କୌଣସି ବୟସସୀମା ନଥାଏ । ଶିକ୍ଷା ଲାଭ କରିବାର କ୍ଷୁଧା ଥିଲେ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନ କିମ୍ବା ଯେକୌଣସି ପଦବୀରେ ରହି ତାହା ହାସଲ କରି ପାରିବ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଛତିଶଗଡ଼ କୋରବା ଜିଲ୍ଲା ଆଇନଜୀବୀ ଏସ୍‌.ଭି. ପୁରୋହିତ । ଆଡଭୋକେଟ ପୁରୋହିତଙ୍କ ବୟସ ଏବେ ୮୦ ବର୍ଷ । ଏହି ବୟସ ସୁଦ୍ଧା ତାଙ୍କ ପାଖରେ ଏତେ ଡିଗ୍ରୀ ରହିଛି ଯେ, ବୋଧହୁଏ ଦେଶର ଆଉ କୌଣସି ବ୍ୟକ୍ତି ଏତେ ସଂଖ୍ୟାରେ ଡିଗ୍ରୀ ହାସଲ କରି ନଥିବେ ।

ଡିଗ୍ରି ଓ ଡିପ୍ଲୋମାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆଡଭୋକେଟ ପୁରୋହିତ ୨୪ଟି ଭିନ୍ନଭିନ୍ନ ବିଷୟରେ ଶିକ୍ଷା ଲାଭ କରି ସାରିଛନ୍ତି । ଖାଲି ସେତିକି ନୁହେଁ ସେଥି ମଧ୍ୟରେ ସେ ୧୪ଟି ବିଷୟରେ ପୋଷ୍ଟ ଗ୍ରାଜୁଏସନ ମଧ୍ୟ କରିଛନ୍ତି । ବିଶ୍ବର ସବୁଠାରୁ ଶିକ୍ଷିତ ବ୍ୟକ୍ତି ଭାବରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆଡଭୋକେଟ । ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ୍ସ ଓ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇବାକୁ ଇଚ୍ଛା ରଖିଛନ୍ତି ।

ନିଜ ଅଞ୍ଚଳରେ ଜଣେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ହେଉଛନ୍ତି ଆଡଭୋକେଟ ପୁରୋହିତ । ୮୦ ବର୍ଷ ବୟସରେ ବି ସେ ବିଳାସପୁର ହାଇକୋର୍ଟରେ ଓକିଲାତି କରୁଛନ୍ତି । ତା ସହିତ ବର୍ତ୍ତମାନ ସେ ଜ୍ୟୋତିଷବିଦ୍ୟାରେ ମଧ୍ୟ ଏମ୍‌.ଏ କରୁଛନ୍ତି ।

ମୃତ୍ୟୁ ଯାଏଁ ପାଠ ପଢ଼ିବି

୧୯୬୨ ମସିହାରେ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଆଡଭୋକେଟ ପୁରୋହିତ । କିନ୍ତୁ ବାପାଙ୍କ ସୀମିତ ଆୟ ଯୋଗୁଁ ସେ କେବଳ ପୁଅକୁ ପାଠ ପଢ଼ାଇ ପାରିବେ ବୋଲି କହିଥିଲେ । ସେହି ସମୟରେ ଆଡଭୋକେଟ ପୁରୋହିତ ଇଞ୍ଜିନିୟରିଂ ପାଠ ପଢ଼ିବା ଏକ କଲେଜରେ ଚୟନ ହୋଇଥିବା ବେଳେ ସାନ ଭାଇଙ୍କ MBBSରେ ସିଲେକ୍ସନ ହୋଇଥିଲା । ଆର୍ଥିକ ଅନଟନ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥିଲା । ସେହି ଦିନଠାରୁ ସେ ଜୀବନର ଶେଷ ମୂହୁର୍ତ୍ତ ଯାଏଁ ପାଠ ପଢ଼ିବେ ବୋଲି ପ୍ରଣ କରିଥିଲେ ଆଡଭୋକେଟ ପୁରୋହିତ ।

ଏହାପରେ ଆଡଭୋକେଟ ପୁରୋହିତ ଆର୍ଟସ୍‌ ବିଷୟରେ ନାମ ଲେଖାଇଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ଡିଗ୍ରୀ ପରୀକ୍ଷା ଦେଇ ଚାଲିଥିଲେ । ଏହା ମା' ସରସ୍ବତୀଙ୍କ କୃପାରୁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଆଡଭୋକେଟ ପୁରୋହିତ । ସେ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ବହି ପଢ଼ିବାରେ ହିଁ ବିତାଇ ଥାଆନ୍ତି । ଯେତେ ବି ପରୀକ୍ଷା ଦେଇଛନ୍ତି ସବୁଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ, ହିନ୍ଦୀ, ଇଂରାଜୀ ଓ ମହାତ୍ମା ଗାନ୍ଧୀଙ୍କ ଜୀବନି ଉପରେ ଏମ୍‌.ଏ କରି ସାରିଛନ୍ତି । ଏଥିପାଇଁ ହାଇକୋର୍ଟରେ ତାଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି ।

ଲୋକଙ୍କ ଭବିଷ୍ୟ କହିବି

ଆଡଭୋକେଟ ପୁରୋହିତ ବର୍ତ୍ତମାନ ଜ୍ୟୋତିଷବିଦ୍ୟାରେ ଏମ୍‌ଏ କରୁଛନ୍ତି । ସେ କୁହନ୍ତି ଯେ, "ମୁଁ କେବେ ଖାଲି ବସିବି ନାହିଁ । ଏମ୍‌ଏ ଶେଷ ହେବାପରେ ଲୋକଙ୍କ ଭବିଷ୍ୟ କହିବି । ମୁଁ ହୋମିଓପାଥିକ୍‌ ଚିକିତ୍ସା ମଧ୍ୟ ଜାଣିଛି । ମୋ ପାଖରେ କେତେକ ମାମଲା ଏବେ ବି ପଡ଼ି ରହିଛି ଏଥିପାଇଁ କୋର୍ଟକୁ ଯିବାକୁ ପଡ଼ୁଛି । ମୁଁ ଖୁବ ସୁନ୍ଦର ଭାବରେ ହିନ୍ଦୀ ଓ ଇଂରାଜୀରେ ଅନୁବାଦ ମଧ୍ୟ କରିପାରେ । ଆଇନ କାର୍ଯ୍ୟ ବେଳେ ମୁଁ ମୋର ଜ୍ୟୋତିଷ ବିଦ୍ୟାର ପ୍ରୟୋଗ କରିବାକୁ ଚିନ୍ତା କରିଛି । "

ପାଠ ପଢ଼ିବା ନିଶା

ଆଡଭୋକେଟ ପୁରୋହିତଙ୍କ ସାନ ପୁଅ ବର୍ତ୍ତମାନ ଆମେରିକାରେ ସ୍ଥାୟୀ ନିବାସୀ ହୋଇ ସାରିଛନ୍ତି । ସେଠାରେ ସେ ବାପାଙ୍କ ନାମ କିଭଳି ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଇବେ ତାହାକୁ ନେଇ ପ୍ରୟାସ କରୁଛନ୍ତି । ତାଙ୍କ ବଡ଼ପୁଅ ବାପାଙ୍କ ନାମ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଇବା ପାଇଁ ଆବେଦନ କରିସାରିଛନ୍ତି । ଆଡଭୋକେଟ ପୁରୋହିତ କେବେ କୌଣସି ମାଦକ ଦ୍ରବ୍ୟ ଗ୍ରହଣ କରି ନାହାନ୍ତି । କାରଣ ତାଙ୍କ ଜୀବନରେ ଗୋଟିଏ ହିଁ ନିଶା ଥିଲା, ତାହା ହେଉଛି ବହି ପଢ଼ିବା ।

ଆଡଭୋକେଟ ପୁରୋହିତ ମୁଳତଃ ମଧ୍ୟ ପ୍ରଦେଶ ନିବାସୀ । ସେ ମଧ୍ୟ ପ୍ରଦେଶ ଓ ବିହାରରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି । ସେ ପବ୍ଲିକ ଆଡମିନିଷ୍ଟ୍ରେସନ, ସାମାଜିକ ବିଜ୍ଞାନ(Sociology), ଦର୍ଶନ ଶାସ୍ତ୍ର(Philosphy), ଭାରତୀୟ ଇତିହାସ(Indian History), ରାଜନୀତି ବିଜ୍ଞାନ(Political Science), ହିନ୍ଦୀ, ଇଂରାଜୀ, ଅର୍ଥନୀତି(Economics), ମହାତ୍ମା ଗାନ୍ଧୀ ପିସ୍‌ ଷ୍ଟଡିଜ୍‌(Mahatma Gandhi Peace Studies), ଟ୍ରାନ୍‌ସଲେଟିଂ ଆଣ୍ଡ ଏଡିଟିଂ(Translating and Editing), ଜ୍ୟୋତିଷ ଶାସ୍ତ୍ର(Astrology) ଆଦି ବିଷୟରେ ଏମ୍‌.ଏ କରିଛନ୍ତି । ଏହାଛଡ଼ା ସେ B.Ed, LLB, LLM, ଡିପ୍ଲୋମା ଇନ୍‌ ସାଇବର ଲ', ସାମ୍ବାଦିକତା ଓ ଗଣ ଯୋଗାଯୋଗ ସହ ଗୀତାର ସାର ବିଷୟରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details