ରାୟପୁର: ବିଜାପୁର ମାଟିକୁ ଦୋହଲାଇ ଦେଇଛି ନକ୍ସଲ ଆକ୍ରମଣ ଘଟଣା । ଛତିଶଗଡର ଛାତିରେ ନକ୍ସଲ ଘଟାଇଛନ୍ତି ନାରକୀୟ କାଣ୍ଡ । ଶହୀଦ ହୋଇଯାଇଛନ୍ତି 22 ଯବାନ । ଆଉ ରକ୍ତ ରଞ୍ଜିତ ମାଟିର ଛାତିଥରା ଦୃଶ୍ୟ ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ ।
ଶାନ୍ତ ଥିବା ବିଜାପୁର ଅଚାନକ ହୋଇଉଠିଥିଲା ଅଶାନ୍ତ । ମାଓବାଦୀଙ୍କ ବର୍ବରତାରେ ଭୟଭୀତ ବିଜାପୁର ମାଟି । ବିଜାପୁର ଆକ୍ରମଣ ଘଟଣା ପଛରେ ସୁକମା ଜିଲ୍ଲାର 40 ବର୍ଷୀୟ ଟପ ନକ୍ସଲ କମାଣ୍ଡର ହିଡମାର ହାଥ ଥିବା ନେଇ କରାଯାଉଛି ସନ୍ଦେହ । ଅଚାନକ ହୋଇନାହିଁ ଏହି ଆକ୍ରମଣ । ଏହା ପଛରେ ରହିଛି ବିରାଟ ଷଡଯନ୍ତ୍ର ।
ଏମିତି ମାୟାଜାଲ ବିଛାଇଥିଲେ ମାଓବାଦୀ...
ଜୋନାଗୁଡାର ପାର୍ବତ୍ୟାଞ୍ଚଳକୁ ଗରିଲା ଯୁଦ୍ଧ କ୍ଷେତ୍ର ବୋଲି କରାଯାଏ ବିବେଚନା । ଏହିଠାରେ ଲୁଚିଲୁଚି ଗରିଲା ଯୁଦ୍ଧର ରଣନୀତି ପ୍ରସ୍ତୁତ କରନ୍ତି ନକ୍ସଲ । ଜୋନାଗୁଡାରେ ଟପ୍ ମାଓ କମାଣ୍ଡର ହିଡମା ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ଇନପୁଟ ସୂଚନା ।
କୁହାଯାଉଛି ଯେ କୁଖ୍ୟାତ ନକ୍ସଲ କମାଣ୍ଡର ହିଡମାକୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପଶୁଥିଲେ 2000 ଯବାନଙ୍କ ଟିମ୍ । ଜଙ୍ଗଲ ଭିତରକୁ ଯବାନଙ୍କ ଏଣ୍ଟ୍ରିର ସୂଚନା ପାଇସାରିଥିଲେ ନକ୍ସଲ । ଏଥିପାଇଁ ପ୍ରଥମେ ନକ୍ସଲମାନେ ଯବାନଙ୍କ ଅପରେସନରେ ବାଧା ନସାଜି ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ପଶିବାକୁ ଦେଇଥିଲେ ।
ଅନେକ ଅଂଶରେ ବଣ୍ଟା ହୋଇଥିଲା ସୁରକ୍ଷାକର୍ମୀଙ୍କ ଟିମ୍ । ଚାଲିଥିଲା ସର୍ଚ୍ଚ ଅପରେସନ । ଆଉ ଏହି ସମୟରେ ନିଜ ମାୟାଜାଲରେ ଯବାନଙ୍କୁ ଫସାଇଥିଲେ ମାଓବାଦୀ । ଯବାନମାନଙ୍କୁ ଫସାଇବା ପାଇଁ 'U' ଆକାରର ଆମ୍ବୁସ ପ୍ରସ୍ତୁତ ରଖିଥିଲେ ନକ୍ସଲ । ଜଣେ ପରେ ଜଣେ ଯବାନ ଏହି ଆମ୍ବୁସ ମଧ୍ୟକୁ ପହଞ୍ଚିବାରେ ଲାଗିଲେ । ଆମ୍ବୁସରେ ପହଞ୍ଚିବା ପରେ ବନ୍ଦ ହୋଇଯାଇଥିଲା ସମସ୍ତ ରାସ୍ତା ।