ପାଟନା:ଜୀବନ ନେଉଛି ଅସହ୍ୟ ତାତି । ବିହାରରେ ଅଂଶୁଘାତ କାରଣରୁ 30ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଭୀଷଣ ଗରମ ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜସ୍ଥାନରୁ ଆସୁଥିବା ଉଷ୍ମ ଜଳବାୟୁ କାରଣରୁ ବିହାରର ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଫଳରେ 10ଟି ଜିଲ୍ଲାରୁ ଗତ 3ରୁ 4 ଦିନ ମଧ୍ୟରେ ପାଖାପାଖି 36 ଜଣଙ୍କ ଜୀବନ ଯାଇଛି।
ଏହାରି ଭିତରେ ଅଶୁଂଘାତ କାରଣରୁ ବହୁ ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି। ସରକାରୀ ରିପୋର୍ଟ ଅନୁଯାୟୀ , ଗତ 48 ଘଣ୍ଟା ମଧ୍ୟରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବାବେଳେ ମୋଟ 36 ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଅନେକ ବୟସ୍କ ଥିବାବେଳେ ଯୁବ ବର୍ଗ ମଧ୍ୟ ରହିଛନ୍ତି।
ବିହାରର ଭୋଜପୁର ଜିଲ୍ଲାରେ ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଭୀଷଣ ଗରମ ଅନୁଭୂତ ହେଉଛି। ଦିନ ତାପମାତ୍ରା 45ରୁ 48 ଡିଗ୍ରୀ ରହୁଥିବାବେଳେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସିକରହଟ୍ଟା, କୋଇଲୱର, ନୱାଦା ଏବଂ ଉଦବନ୍ତନଗର ଆଦି ସ୍ଥାନମାନଙ୍କରୁ ଅନେକ ଲୋକ ଅଶୁଂଘାତ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ରାତିରେ ମଧ୍ୟରେ ଅଧିକ ତାପମାତ୍ରା ରହୁଥିବାରୁ 10 ଜିଲ୍ଲାକୁ ହଟ୍ ନାଇଟ୍ ଆଲର୍ଟ କରିଛି ପାଣିପାଗ ବିବାଗ।
ବାପଘରକୁ ଯିବା ସମୟରେ ଭୋଜପୁର ନିକଟରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ଟାଉନ ଥାନା ଅଞ୍ଚଳରୁ 35ବର୍ଷୀୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ମଧ୍ୟ ଅଶୁଂଘାତରେ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ସେହିପରି ଉଦବନ୍ତନଗର ଥାନା ଅଧୀନସ୍ଥ ତେତରିୟା ଗାଁ ନିକଟ ରେଳ ଲାଇନରୁ 40ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି। ଅପରପକ୍ଷେ କୋଇଲୱର ଥାନା ଅଞ୍ଚଳରେ ଥିବା ଦୌଲତପୁର ଗାଁରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି।
ତେବେ ଅଶୁଂଘାତର ଲକ୍ଷଣ ଜାଣିବା ସହ ପ୍ରତିକାର କରିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହାସହ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଉ ଆବଶ୍ୟକ ସ୍ଥଳରେ ଘରୁ ବାହାରକୁ ବାହାରିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ଓ କଳା ଚଷମା ଆଦି ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ORS ମଧ୍ୟ ସାଙ୍ଗରେ ନେଇ ଯିବା ଉଚିତ୍। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଅଶୁଂଘାତର ଲକ୍ଷଣ ଦେଖାଯାଏ, ତେବେ ବିଳମ୍ବ ନକରି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।