ପାଟନା: ପରୀକ୍ଷା ଦେବାକୁ ଘରୁ ବାହାରିଥିଲେ ପରୀକ୍ଷାର୍ଥୀ । ମାତ୍ର ମଝି ରାସ୍ତାରେ ଅଚାନକ ଟ୍ରାଫିକ ଜାମ ହୋଇଥିଲା । ଦୀର୍ଘ ସମୟ ଧରି ଗାଡି ଅଟକିଥିଲା । କାଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହେବ ଗାଡି ଚଳାଚଳ ସ୍ବାଭାବିକ ହେବାକୁ ଅପେକ୍ଷା ନକରି ଦୌଡିବାକୁ ଲାଗିଲେ ଛାତ୍ରୀ । ବିହାରର କିଛି ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ 2 କିଲୋମିଟର ଜାତୀୟ ରାଜପଥରେ ଦୌଡୁଥିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ରାସ୍ତାରେ ଜାମ ଯୋଗୁଁ ଯେଉଁ ଗାଡିରେ ଯାଇଥିଲେ ତାହା ଆଗକୁ ଗଡି ନଥିଲା । ସମୟ ନଷ୍ଟ କରି ଦଶମ ବୋର୍ଡ ପରୀକ୍ଷା ପାଇଁ ଛାତ୍ରୀମାନେ ଦୌଡି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ସୋସିଆଲ ମିଡିଆରେ ଛାତ୍ରୀମାନେ ଦୌଡୁଥିବାର ଭିଡିଓ ଭାଇରାଲ ହେବା ପରେ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଛନ୍ତି ।
ବିହାରର କାଇମୁର ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । କିଛି ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ଘରୁ ସେମାନଙ୍କ ଅଭିଭାବକଙ୍କ ସହ ବାହାରିଥିଲେ । କିନ୍ତୁ ପରୀକ୍ଷା କେନ୍ଦ୍ର 2 କିମି ବାକି ଥିବାବେଳେ ହଠାତ ଟ୍ରାଫିକ ଜାମ ହୋଇଥିଲା । କୁହନ୍ତି ନା ସମୟ କାହାକୁ ଅପେକ୍ଷା କରେ ନାହିଁ । ମିନିଟ କଣ୍ଟା ଆଗକୁ ବଢୁଥାଏ ହାତରେ ସମୟ ସରି ସରି ଆସୁଥାଏ ସେପଟେ ଟ୍ରାଫିକ ସମସ୍ୟା ତୁଟୁ ନଥାଏ । ପଛକୁ ପଛ ଗାଡି ଲମ୍ବିଥାଏ । କାଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହେବ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ଏହା ଚିନ୍ତା କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଦୌଡିଲେ ଛାତ୍ରୀ ।