ନୂଆଦିଲ୍ଲୀ: Bihar Politics ବିହାର ପାଇବ ଖୁବ ଶୀଘ୍ର ନୂଆ ସରକାର । ବଦଳିବ ସରକାର । ହେଲେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନର ମେଣ୍ଟ ସହ ସମ୍ପର୍କ ଶେଷ କରି ପୁଣି ଥରେ ପୁରୁଣା ସମ୍ପର୍କକୁ ଫେରିଯିବେ ବିହାରୀ ବାବୁ ନୀତିଶ କୁମାର । ଲାଲୁ-ରାବଡୀ ନନ୍ଦନ ପୁଣି ଥରେ ଫେରିବେ ସରକାରକୁ । ବିହାର ଦେଖିବ ନୂଆ ସରକାର । ଗଠନ ନୂଆ ସମୀକରଣ । ଜାତୀୟ ରାଜନୀତିରେ ଘଟିବ ବଡ ଘଟଣା । ଆସନ୍ତା ସାଧାରଣ ନିର୍ବାଚନ (General Election 2024 ) ଲଢେଇ ପାଇଁ ପ୍ରସ୍ତୁତ ହେବ ନୂଆ ରଣନୀତି । ଏବେ ବିରୋଧୀ ଗୋଷ୍ଠୀର ନେତୃତ୍ବ ନେବେ ନୀତିଶ । ମୋଦିଙ୍କୁ ଦେବେ ଟକ୍କର । 24 ଲଢେଇ ପାଇଁ ପ୍ରସ୍ତୁତ ନୀତିଶ କୁମାର ।
ବିହାରରେ ମେଣ୍ଟ ସରକାର ଗଠନ କରି ଶାସନ କରୁଥିବା ବିଜେପି-ଜେଡିୟୁ ସମ୍ପର୍କରେ ଫାଟ । ଫାଟ ଏତେ ଗଭୀର ଯେ ଆଉ କୌଣସି ଆଶ୍ବାସନ ଭରସା ଏହାକୁ ଯୋଡି ପାରିବ ନାହିଁ । ଏହି ଫାଟ ଗତ କିଛି ମାସ ହେବ ବଢି ବଢି ଚାଲିଥିଲା । ଯେତେବେଳେ ଜାତି ଆଧାରିତ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Nitish Kumar) ବିଜେପି ଠାରୁ ନିଜକୁ ଦୂରେଇ ରଖିଥିଲେ, ସେତେବେଳେ ଏହା ଆରମ୍ଭ ହୋଇଥିଲା । ନୀତିଶ ବିରୋଧୀ ଦଳଙ୍କୁ ନେଇ ଜାତି ଆଧାରିତ ଜନଗଣନା ଦାବି କରିଥିଲେ । ଗତ କିଛି ମାସ ଧରି ନୀତିଶ ବିଜେପି ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଛି। କାରଣ ନୀତିଶ ଅନୁଭବ କରୁଛନ୍ତି ସରକାର ଚଳାଇବା ପାଇଁ ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳୁନାହିଁ । ଯାହାକୁ ନେଇ ଲଗାତାର ନୀତିଶ ବିଜେପି ଓ କେନ୍ଦ୍ର ସରକାରଙ୍କ ଠାରୁ ଦୂରେଇ ରହି ଆଗାମୀ ରଣନୀତି ରଚନା କରୁଥିଲେ ।
ନୀତିଶ ଗତ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ନୈଶ୍ୟ ଭୋଜିରେ ସାମିଲ ହୋଇନଥିଲେ । ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ଏହା ପୂର୍ବରୁ ଗୃହମନ୍ତ୍ରୀ ଡାକିଥିବା ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ସାମିଲ ହୋଇନଥିଲେ । ଏହାବଦା ଗତକାଲି ଗୁରୁତ୍ବପୂର୍ଣ୍ଣ ନୀତି ଆୟୋଗଙ୍କ ସପ୍ତମ ପରିଷଦ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏତତ ବ୍ୟତୀତ ମୋଦି ମନ୍ତ୍ରୀ ମଣ୍ଡଳରେ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ଆରସିପି ସିଂଙ୍କୁ ମଧ୍ୟ ନୀତିଶ ଆଉ ରାଜ୍ୟସଭା ପଠାଇନଥିଲେ । ଫଳରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ସହ ଦଳ ମଧ୍ୟ ଛାଡିଛନ୍ତି ଆରସିପି ସିଂ ।