ପାଟନା:ବିହାରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି କରୁଛି । ଏନେଇ ଆଜି ସକାଳେ ବିହାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଭୋର୍ ସମୟରେ ଦୁର୍ବତ୍ତମାନେ ସାମ୍ବାଦିକ ବିମଳ କୁମାର ଯାଦବଙ୍କ ଘରେ ପଶି ହତ୍ୟା କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ଏନେଇ ମୃତ ସାମ୍ବାଦିକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେ ୮ ଜଣଙ୍କ ନାଁରେ ଏତଲା ଦେଇଥିବା ବେଳେ ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ବିହାର ପୋଲିସ । ଅଭିଯୁକ୍ତମାନେ ୨୦୧୯ରେ ବିମଳଙ୍କ ଭାଇକୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ସେ ଏକମାତ୍ର ସାକ୍ଷୀ ଥିଲେ ଏବଂ ତାଙ୍କୁ ନିଜର ସାକ୍ଷ୍ୟ ବଦଳାଇବା ପାଇଁ ଚାପ ପଡୁଥିବା ଅଭିଯୋଗ ହୋଇଛି । ଘରେ ଭିତରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯିବା ନେଇ ବିହାରରେ ରାଜନୀତି ଜୋର ଧରିଛି ।
ଲୋକ ଜନଶକ୍ତ ଦଳର ନେତା ଚିରାଗ ପାଶୱନ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଟାର୍ଗେଟ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ ସାମ୍ବାଦିକ ବିମଳଙ୍କ ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଖବର ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।