ପାଟନା:ପୁଣି ବିହାରରେ ନୀତିଶ ରାଜ । ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ନୀତିଶ କୁମାର ଆଜି ପୁଣି 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ RJD ନେତା ତେଜସ୍ବୀ ଯାବଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ବିହାର ରାଜଭନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହୋଇଛି ।
ଗତକାଲି ନୀତିଶ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଓହରି ଯିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ପରେ ସେ ମହାଗଠବନ୍ଧନ (ମହାମେଣ୍ଟ)ର ନେତା ଭାବେ ନିର୍ବାଚିତ ହେବା ସହ ତାଙ୍କ ସହ ମହାମେଣ୍ଟର 7 ସହଯୋଗୀ ଦଳଙ୍କ ମୋଟ 164 ବିଧାୟକଙ୍କ ସମର୍ଥନ ରହିଥିବା ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ଆଜି ତାଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ତେଜସ୍ବୀ ନୀତିଶଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।