ଡେରାଡୁନ:ଆଇଆଇଟିରେ ଗୋଲ୍ଡମେଡାଲ ସହ ଡିଗ୍ରୀ ହାସଲ କଲେ ପ୍ରବାସୀ ଶ୍ରମିକଙ୍କ ପୁଅ। ବିହାର ନାଳନ୍ଦା ଜିଲ୍ଲା ସସନ୍ଦୀ ଅଞ୍ଚଳର ରାହୁଲ ସିଂହ ନାମକ ଜଣେ ଛାତ୍ର ଉତ୍ତରାଖଣ୍ଡର ରୁରକି ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାହୁଲଙ୍କ ବାପା ଗୁଜରାଟ ସୁରତର ଏକ ସୂତା କଳରେ ଦିନ ମଜୁରିଆ ଭାବରେ କାମ କରନ୍ତି। ଏଭଳି ଏକ ଉପଲବ୍ଧି ପାଇବା ପରେ ରାହୁଲ ଏକ ଭିଡିଓ ଜାରି କରି ରୁରକି ଆଇଆଇଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି।
କୋରୋନା ମହାମାରୀ ଯୋଗୁଁ ଡିଜିଟାଲ ମୋଡରେ ରୁରକି ଆଇଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଅବସରରେ ମେଟେରିଆଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ଯୋଗୁଁ ରାହୁଲ ସିଂହଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା। କଲେଜ ଅଧ୍ୟକ୍ଷ ଶଙ୍କର ଦୟାଲ ଶର୍ମା ରାହୁଲ ଶର୍ମାଙ୍କୁ ଏହି ସ୍ବର୍ଣ୍ଣ ପଦକରେ ସମ୍ବର୍ଦ୍ଧିତ କରିଥିଲେ। ତେବେ ଡିଜିଟାଲ ମୋଡ ଯୋଗୁଁ ଏହି ପଦକ ରାହୁଲଙ୍କ ପାଖକୁ ପଠାଇ ଦିଆଯାଇଥିଲା।
ଏହି ସ୍ବର୍ଣ୍ଣପଦକ ହାସଲ କରିବା ପରେ ରାହୁଲ ଶର୍ମା ଏକ ଭିଡିଓ ଜାରି କରି ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି । ନାଳନ୍ଦା ଜିଲ୍ଲା ସସନ୍ଦୀ ଅଞ୍ଚଳରେ ତାଙ୍କ ପରିବାର ବାସ କରନ୍ତି । ତେବେ ଏହି ଅଞ୍ଚଳରେ ରୋଜଗାରର କୌଣସି ପନ୍ଥା ନ ମିଳିବାରୁ ତାଙ୍କ ବାପାଙ୍କୁ ବାଧ୍ୟ ହୋଇ ସୁରତ ସୂତାକଳରେ କାମ କରିବାକୁ ପଡ଼ିଥିଲା। ସୂତାକଳରେ ରାହୁଲଙ୍କ ବାପା ଯେଉଁ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପୂରା ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।