ଓଡିଶା

odisha

ETV Bharat / bharat

ମାସକରେ ୭ ଜୀବନ ନେଲାଣି ନରହନ୍ତା ବାଘ, ଦେଖିବା କ୍ଷଣି ନିଶା ଗୁଳି ମାରିବାକୁ ନିର୍ଦ୍ଦେଶ - ବିହାରରେ ବାଘ ଆତଙ୍କ

ବିହାରର ଚମ୍ପାରନ ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ଏକ ବାଘ ହିଂସ୍ର ହୋଇ ଗତ ଏକ ମାସ ମଧ୍ୟରେ ୭ ଜଣଙ୍କ ଜୀବନ ନେଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମାସକରେ ୭ ଜୀବନ ନେଲାଣି ହିଂସ୍ର ବାଘ, ଦେଖିବା କ୍ଷଣି ନିଶା ଗୁଳି ମାରିବାକୁ ନିର୍ଦ୍ଦେଶ
ମାସକରେ ୭ ଜୀବନ ନେଲାଣି ହିଂସ୍ର ବାଘ, ଦେଖିବା କ୍ଷଣି ନିଶା ଗୁଳି ମାରିବାକୁ ନିର୍ଦ୍ଦେଶ

By

Published : Oct 8, 2022, 11:17 AM IST

ପାଟନା:ବିହାରର ପଶ୍ଚିମ ଚମ୍ପାରନ ଜିଲ୍ଲାର ବଗହା ଗ୍ରାମରେ ହିଂସ୍ର ହୋଇପଡ଼ିଛି ଏକ ବାଘ (Man eater Tiger) । ଗତ ୨ ଦିନ ମଧ୍ୟରେ ୨ଟି ଅମୂଲ୍ୟ ଜୀବନ ନେଇଥିବା ବେଳେ ମାସକରେ ନେଲାଣି ୭ ଜଣଙ୍କ ଜୀବନ । ଏହି ହିଂସ୍ର ପଶୁକୁ ଦେଖିବା କ୍ଷଣି ନିଦ୍ରା ଗୁଳି ମାରି ଚେତାଶୂନ୍ୟ କରିବାକୁ ବିହାରର ବନ୍ୟୁଜନ୍ତୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଗ୍ରାମବାସୀ ବନବିଭାଗର ଯାନବାହନକୁ କ୍ଷତି ପହଞ୍ଚାଇଥିବା ଦେଖିବାକୁ ମିଳିଛି ।

ଗତ (ଗୁରୁବାର) ରାତିରେ ସଞ୍ଜୟ ମହାତୋ (୩୫)ଙ୍କୁ ବାଘ ଆକ୍ରମଣ କରିଥିଲା । ସେ ନିଜ ଜମିକୁ ରାତିରେ ଯାଇଥିବା ବେଳେ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ବିତୀୟ ଥର ଥିଲା ଯେତେବେଳେ ବାଘ ଜନବସତି ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରିଛି । ବୁଧବାର ରାତିରେ ମଧ୍ୟ ଜିଲ୍ଲାର ସିଙ୍ଘି ଗ୍ରାମରେ ଏକ ବାସଭବନ ମଧ୍ୟକୁ ପଶିଥିଲା ଏହି ହିଂସ୍ର ପଶୁ । ଘରେ ଶୋଇଥିବା ୧୨ ବର୍ଷର ଝିଅ ଉପରେ ଆକ୍ରମଣ କରିଥିଲା ।

ଏ ସମ୍ପର୍କରେ ଝିଅର ପରିବାର ଜାଣିବାକୁ ପାଇବା ବେଳେ ଛୋଟ ଝିଅଟିକୁ ନେଇ ବାଘ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ଏହି ମୃତ ଝିଅ ଉକ୍ତ ଗ୍ରାମର ରମାକାନ୍ତ ମାଞ୍ଝିଙ୍କ ଝିଅ ବାଗଦି ବୋଲି ଜଣାପଡ଼ିଛି । ବାଘକୁ ଧରିବା ଲାଗି ବନ ବିଭାଗ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ସଫଳ ହୋଇନାହିଁ । ବାଘକୁ ଧରିବା ଲାଗି ପ୍ରାୟ ୧୫୦ ବନ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି । ବାଘକୁ ଧରିବା ଲାଗି ବନ ବିଭାଗ ଜଙ୍ଗଲରେ ଜାଲ ବିଛାଇଥିବା ବେଳେ ସେଥିରେ ଏକ ଛେଳି ପଡ଼ିଥିବା ବେଳେ ବାଘ ଚତୁରତାର ସହିତ ସେଥିରୁ ଖସିଯାଇଛି ।

ଏହା ବି ପଢନ୍ତୁ-T-90 Barrel Burst: ଝାନ୍ସୀରେ ୨ ଯବାନ ଶହୀଦ, ଜଣେ ଗୁରୁତର ଆହତ

ସେହି ଅଞ୍ଚଳରେ ବାଘଟି କ୍ଷଣିକୁ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଫଳରେ ବନ ବିଭାଗ ବାଘକୁ ଧରିବାରେ ଅସଫଳ ହୋଇଛି । ବାଘ ସର୍ଭିଲେନ୍ସରେ ରହିଥିବା ବେଳେ ତାକୁ ଧରିବା ଲାଗି ସିସିଟିଭି ଫୁଟେଜ ଉପରେ ନଜର ରଖାଯାଇଛି ବୋଲି ବନ୍ୟଜନ୍ତୁ ସଂରକ୍ଷଣକାରୀ ନିଶାମଣି କେ କହିଛନ୍ତି । ବାଘକୁ ଦେଖିବା କ୍ଷଣି ନିଶା ଗୁଳି ମାରି ଚେତାଶୂନ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଗତ ୧ ମାସରେ ବାଘ ୭ ଜଣଙ୍କ ଜୀବନ ନେଇଛି । ଏଯାବତ ୫ ମାସ ମଧ୍ୟରେ ବାଘ ଅଲଗା ଅଲଗା ଅଞ୍ଚଳରେ ୮ ଜଣଙ୍କ ଉପରେ ଆକ୍ରମଣ କରିଛି । ଯେଉଁଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଛି । ବାଘ ବାରମ୍ବାର ନିଜ ସ୍ଥାନ ପରିବର୍ତ୍ତନ କରୁଥିବାରୁ ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ ବ୍ୟର୍ଥ ହେଉଛି । ବାଘକୁ ଧରିବାରେ ବନ ବିଭାଗ ଅସଫଳ ରହୁଥିବା ବେଳେ ଏପଟେ ବାଘ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ।

ABOUT THE AUTHOR

...view details