ପାଟନା:ସୁନା ଖଣି ଠାବ ହେବା ପରେ ବିହାରରେ ଏବେ ମିଳିଛି ପେଟ୍ରୋଲର ସନ୍ଧାନ । ବକ୍ସର ଗଙ୍ଗା ଅବବାହିକା ଅଞ୍ଚଳ ଓ ସମସ୍ତିପୁରାରେ ପେଟ୍ରୋଲ ଥିବା ନେଇ ମିଳିଛି ସୂଚନା । ଏନେଇ ବିହାର ସରକାର ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC)କୁ ପେଟ୍ରୋଲ ଅନୁସନ୍ଧାନ ପାଇଁ ଲାଇସେନ୍ସ (Petroleum Exploration License) ପ୍ରଦାନ କରିଛନ୍ତି । ୨ଟି ଜିଲ୍ଲାର କେତେ ପରିମାଣରେ ପେଟ୍ରୋଲ ମହଜୁଦ ରହିଛି ସେନେଇ ଓଏନଜିସି (Oil and Natural Gas Corporation) ସର୍ଭେ କରିବ ।
ସୂଚନା ଅନୁଯାୟୀ, ବକ୍ସରର ଗଙ୍ଗା ଅବବାହିକାରେ ପ୍ରାୟ 52.13 ବର୍ଗ କିଲୋମିଟର ତୈଳ ଥିବା ନେଇ ଆକଳନ କରାଯାଇଛି । ସେହିପରି ସମସ୍ତିପୁରାରେ 308.32 ବର୍ଗ କିଲୋମିଟର ମଧ୍ୟରେ ପେଟ୍ରୋଲ ଥିବା ନେଇ ଆକଳନ କରାଯାଉଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ(Union Minister of State for Home Nityanand Rai) କହିଛନ୍ତି ଯେ ‘ବିହାର ସରକାର ସମସ୍ତିପୁରର ଗଙ୍ଗା ଅବବାହିକାରେ ପେଟ୍ରୋଲିୟମ ଅନୁସନ୍ଧାନ ପାଇଁ ONGC କୁ ଅନୁମତି ଦେଇଛନ୍ତି । ଅତ୍ୟାଧୁନିକ ଉପାୟରେ 308 ବର୍ଗ କିଲୋମିଟର ଅଞ୍ଚଳରେ ପେଟ୍ରୋଲିୟମ ଅନୁସନ୍ଧାନ କରାଯିବ । ସେ କହିଛନ୍ତି ଯେ ମାଟିତଳେ ପର୍ଯ୍ୟାପ୍ତ ପରିମାଣର ତେଲ ଗଚ୍ଛିତ ଥିବା ନେଇ ଆଶା କରାଯାଉଛି । ସର୍ଭେରେ ଯଦି ତେଲ ମିଳୁଛି, ତେବେ କେବଳ ସମସ୍ତିପୁର (Samastipur) ନୁହେଁ ପୁରା ବିହାର ସ୍ଥିତି ବଦଳିଯିବ ’।