ପାଟନା:ସ୍ପଷ୍ଟ ଦିବାଲୋକରେ କୋର୍ଟ ପରିସରରେ ଫୁଟିଲା ଗୁଳି । ବିହାର ସମସ୍ତିପୁର କୋର୍ଟ ପରିସରରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଛି । ଏଥିରେ ଦୁଇ ଜଣ ବିଚାରାଧୀନ କଏଦୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଏହି ବିଚାରଧୀନ କଏଦୀକୁ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଏହି ଆକ୍ରମଣରେ କଏଦୀ ଜଣଙ୍କ ଆହତ ହୋଇଥିଲେ । ତେବେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଟିମ ଆହତ ହୋଇଥିବା ବିଚାର ବିଭାଗୀୟ କଏଦୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଚୋରା ମଦ କାରବାର ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ପ୍ରଭାତ ଚୌଧୁରୀକୁ ଶୁଣାଣି ପାଇଁ ଆଜି ସମସ୍ତିପୁର କୋର୍ଟରେ ହାଜର କରଯାଇଥିଲା । ତାକୁ ପୋଲିସ ଟିମ କୋର୍ଟରେ ହାଜର କରିବାକୁ ନେବା ବେଳେ ଜଣେ ଦୁର୍ବୃତ୍ତ କୋର୍ଟ ପରିସରରେ ପ୍ରବେଶ କରି ଗୁଳିମାଡ କରିଥିଲା । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଜଣକ ଏକ ବନ୍ଧୁକ ବାହାର କରି କଏଦୀ ପ୍ରଭାତ ଓ ପୋଲିସ ଟିମ ଉପରେ ଗୁଳି ଚଳାଇଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପୂର୍ବରୁ ଅଭିଯୁକ୍ତ କୋର୍ଟ ପରିସରରୁ ଫେରାର ହୋଇଯିବାରେ ସଫଳ ହୋଇଛି । ବିଚାରାଧୀନ କଏଦୀ ପ୍ରଭାତ ଦେହରେ ଗୁଳି ବାଜିଛି । ଏହା ସହିତ ଅନ୍ୟ ଜଣେ ଏକଦୀ ଦେହରେ ମଧ୍ୟ ଗୁଳି ବାଜିଛି । ପରେ ତୁରନ୍ତ ଏକ ଆମ୍ବୁଲାନ୍ସରେ ଦୁଇ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋର୍ଟ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଆକ୍ରମଣକାରୀକୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ କରୁଛି ।