ଓଡିଶା

odisha

ETV Bharat / bharat

ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ - 2024 ସାଧାରଣ ନିର୍ବାଚନ

INDIA Alliance meet: ‘ଇଣ୍ଡିଆ’ ମେଣ୍ଟକୁ ନେଇ ମୁହଁ ଖୋଲିଲେ ନୀତିଶ । କହିଲେ ସେ କେବଳ ମେଣ୍ଟର ସୁଦୃଢୀକରଣ ଚାହାନ୍ତି, କୌଣସି ପଦପଦବୀ ପାଇଁ ଇଚ୍ଛୁକ ନୁହନ୍ତି । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ
ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ

By ETV Bharat Odisha Team

Published : Dec 6, 2023, 8:59 PM IST

ପାଟନା:‘ଇଣ୍ଡିଆ’ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ, ମମତା ଓ ଅନ୍ୟ କିଛି ତୁଙ୍ଗ ନେତାଙ୍କ ଅଂଶଗ୍ରହଣ ନକରିବା କାରଣରୁ ଆଜି (6 ତାରିଖ) ରେ କଂଗ୍ରେସ ଡାକିଥିବା ‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ ରହିଥିଲା । ମାତ୍ର ପରବର୍ତ୍ତୀ ବୈଠକରେ ସାମିଲ ହେବା ନେଇ ନୀତିଶ ଆଜି ନିଜେ ସ୍ପଷ୍ଟ କରିଛନ୍ତି ।

ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା ରଖି ନୀତିଶ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ମଧ୍ୟରେ ଆଜି ମେଣ୍ଟକୁ ନେଇ ନୀତିଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାଟନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ନୀତିଶ କହିଛନ୍ତି,‘‘ମୁଁ ମେଣ୍ଟ ବୈଠକରେ ସାମିଲ ହେଉନାହିଁ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ମୋର ସ୍ବାସ୍ଥ୍ୟଗତ ସମସ୍ୟା ଥିଲା । ମେଣ୍ଟର ଆଗାମୀ ବୈଠକରେ ଅଂଶଗ୍ରହଣ କରିବି । ଆଗାମୀ ବୈଠକରେ ସବୁ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ ହେବା ନେଇ ମଧ୍ୟ ମୋର ଆଭିମୁଖ୍ୟ ରହିବ । ମୋ ସମ୍ପର୍କରେ ବାରମ୍ବାର ଭୁଲ ଖବର ପ୍ରସାରିତ କରାଯାଉଛି । କେବଳ ମେଣ୍ଟକୁ ସୁଦୃଢ କରିବା ହିଁ ମୋର ଲକ୍ଷ୍ଯ । ମୋର କୌଣସି ପଦ ପଦବୀ ପ୍ରତି ଇଚ୍ଛା ନାହିଁ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ଆବାହକ ହେବା ନେଇ ନୀତିଶଙ୍କ ଇଚ୍ଛା ଥିବ ଓ ସେ କାରଣରୁ ସେ ଅସନ୍ତୁଷ୍ଟ ଥିବା ନେଇ ପ୍ରଥମରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି ଗତ 3 ତାରିଖରେ 4 ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ 6 ତାରିଖରେ ମେଣ୍ଟର ବୈଠକ ଡାକିଥିଲେ । ହେଲେ ଏକାଧିକ ମେଣ୍ଟ ସହଯୋଗୀ ଦଳମୁଖ୍ୟ ଏଥିରେ ଅଂଶଗ୍ରହଣ ନକରିବାକୁ ସଙ୍କେତ ଦେଇଥିଲେ । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଣ୍ଟର ବୈଠକ ସମ୍ପର୍କରେ ଅବଗତ ନଥିବା ଓ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଥିବା କହି ସେ ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପର୍ଯ୍ୟୟ ପରେ ଖଡ଼ଗେ ଖପ୍ପା: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ନେତାଙ୍କୁ ସମନ୍

ସେହିପରି ନୀତିଶ, ଅଖିଳେଶ ମଧ୍ୟ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଥିଲା । ବନ୍ୟା କାରଣରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ମେଣ୍ଟ ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାପଡିଥିଲା । ଏହା ପରେ ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ବୈଠକ ସ୍ଥଗିତ ରଖିଥିଲା । ଏବେ ଚଳିତ 17 ତାରିଖରେ ମେଣ୍ଟର ପରବର୍ତ୍ତୀ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ । ଆଗମି ବୈଠକରେ ସାମିଲ ହେବା ନେଇ ନୀତିଶ ସ୍ପଷ୍ଟ କରିଛନ୍ତି । ଅନ୍ୟମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details