ପାଟନା: ବିଧାନସଭାରେ ମନ୍ତବ୍ୟ ରଖିବା ବେଳେ ଆଗ ପଛ କିଛି ଭାବିଲେ ନାହିଁ । ଯାହା ପାଟିକୁ ଆସିଲା ତାହା କହି ଚାଲିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମୀର । ବିଭିନ୍ନ ମହଲରେ ନିନ୍ଦିତ ହେଲେ । ବିଭିନ୍ନ ମହଲରୁ ନିନ୍ଦା କରାଯିବାରୁ କ୍ଷମା ମାଗିଲେ । ବିହାର ବିଧାନସଭାରେ ଗତକାଲି (ମଙ୍ଗଳବାର) ରାଜ୍ୟ ସରକାରଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲି ଯାଇଥିଲେ ନୀତିଶ କୁମାର । ବିଧାନସଭାରେ ଆପତ୍ତିଜନକ ଶଦ୍ଦକୁ ନେଇ ବିବାଦକୁ ଆସିଥିବା ନୀତିଶ କୁମାର ଆଜି ଭୁଲ ମାରିବା ସହ କହିଥିବା ଶଦ୍ଦକୁ ଫେରାଇ ନେଉଛି ବୋଲି କହିଛନ୍ତି । ନୀତିଶ କ୍ଷମା ମାଗୁଥିବାବେଳେ ଗୃହରେ ବିରୋଧୀ ହଙ୍ଗମା କରିଥିବା ଦେଖିବାକୁ ମିଳିଥିଲା ।
'ମୁଁ କ୍ଷମା ମାଗୁଛି ମୋ ଶଦ୍ଦ ଫେରାଇ ନେଉଛି': ବିଧାନସଭାରେ ମହିଳାଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପରେ କ୍ଷମା ମାଗିଛନ୍ତି ନୀତିଶ କୁମାର । ବିଧାନସଭା ଯିବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମହିଳାମାନଙ୍କୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ ମହିଳାଙ୍କ ଶିକ୍ଷା କଥା କହିଥିଲି । ମୁଁ ଏମିତି ହିଁ ଏହି କଥା କହିଥିଲି । ଯଦି ଉକ୍ତ କଥା କାହାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି ।" ଏହାପରେ ବିଧାନସଭାରେ ମଧ୍ୟ ସେ କ୍ଷମା ମାଗିଛନ୍ତି । ଗୃହରେ ସେ କହିଛନ୍ତି, "ମୁଁ ମହିଳାଙ୍କ ଶିକ୍ଷା ଉପରେ କହୁଥିଲି । ଯଦି ମୋର କଥା କାହାକୁ କଷ୍ଟ ଦେଇଛି ତେବେ ମୁଁ ଏହି ଶଦ୍ଦକୁ ଫେରାଇ ନେଉଛି । ମୁଁ ମୋର ନିଜର ନିନ୍ଦା କରୁଛି ।"