ଶ୍ରୀନଗର:ଅନନ୍ତନାଗ ଆତଙ୍କୀ ଏନକାଉଣ୍ଟରରେ ଭାରତୀୟ ସେନାର 2 ଅଧିକାରୀ, 2 ଯବାନଙ୍କ ସମେତ ଜମ୍ମୁକାଶ୍ମୀର ପୋଲିସ ଡିଏସପି ଶହୀଦ ହୋଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦେଇଥିବା ବେଳେ ଶହୀଦ ହୋଇଛନ୍ତି କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚାକ ଓ ଜମ୍ମୁକାଶ୍ମୀର ପୋଲିସ ଡିଏସପି ହୁମାୟୁ ଭଟ୍ଟଙ୍କ ସମେତ ଆଉ ଜଣେ ଯବାନ । ଏହି ଖବର ଆସିବା ପରେ ଦେଶବାସୀଙ୍କ ଓଦା ଆଖି ଦେଶର ଏହି ବୀରପୁତ୍ରଙ୍କୁ ସମ୍ମାନ ଜଣାଇଛନ୍ତି । ସେପଟେ ଗୁପ୍ତଚରର ବିଶ୍ବାସଘାତକତା ଯୋଗୁଁ ଏନକାଉଣ୍ଟରରେ ଦେଶର ବୀର ଯବାନ ଶିକାର ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।
ଜମ୍ମୁକାଶ୍ମୀରର କୋକେରନାଗ ଜଙ୍ଗଲ ଘଞ୍ଚ ହୋଇଥିବା ବେଳେ ଏହାର ଚାରିପାଖକୁ ଘେରି ରହିଛି ଉଚ୍ଚ ପର୍ବତମାଳା । ଏହି ଅଞ୍ଚଳଟି ଏତେ ଦୁର୍ଗମ ଯେ କୌଣସି ଅପରେସନ ସଫଳ ହେବା ଅତ୍ୟନ୍ତ କଷ୍ଟକର । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ବେଳେ ଜମ୍ମୁକାଶ୍ମୀର ପୋଲିସର ଡିଏସପିଙ୍କ ସମେତ 4 ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତମାତା ନିଜର 5 ବୀରପୁତ୍ରଙ୍କୁ ହରାଇ ଯେପରି ନିସ୍ତବ୍ଧ ହୋଇପଡ଼ିଛି । ଏକ ରିପୋର୍ଟ ଅନୁସାରେ ଭାରତୀୟ ଯବାନଙ୍କ ଫସାଇବା ଲାଗି ଆତଙ୍କବାଦୀଙ୍କ ଦ୍ବାରା ଜାଲ ବିଛାଯାଇଥିଲା । ଆଉ ବିଶ୍ବାସଘାତକାର ମୂଲ୍ୟ ସୁଝି ଦେଶ ମାତୃକା ପାଇଁ ଟଳି ପଡ଼ିଲେ ଭାରତ ମାତାର 5 ବୀରପୁତ୍ର ।
କାହିଁକି 3 ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ୍ କଲେ ଆତଙ୍କୀ ?:-ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ହେଉ କି ଏନକାଉଣ୍ଟର ସ୍ପଟରେ କାଉଣ୍ଟର ଆଟାକ୍ ସବୁ ଅପରେସନରେ ମାହିର ଥିଲେ ସେନାର ଦୁଇ ବରିଷ୍ଠ ଅଧିକାରୀ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚାକ । ଏହି ଦୁଇ ଅଫିସର ଟପ୍ ଆତଙ୍କୀ ଅଫଜର ଗୁରୁ ଅପରେସନରେ ମଧ୍ୟ ସାମିଲ ଥିଲେ ଏବଂ ଅପରେସନକୁ ସଫଳ କରିବାରେ ବଡ ଭୂମିକା ନିର୍ବାହ କରିଥିଲେ । ତେଣୁ ଏମାନଙ୍କୁ ଟାର୍ଗେଟ କରି ସେନାର କାଉଣ୍ଟର ଅପରେସନକୁ ସଫଳ ନକରିବା ପାଇଁ ଏପରି ଆମ୍ବୁସ୍ କରିଛନ୍ତି ଆତଙ୍କୀ ବୋଲି ସେନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କହିବା ସହିତ ଏଥିରେ ସ୍ଥାନୀୟ ଲୋକ ସାମିଲ ଅଛନ୍ତି, ଯିଏକି ସେନାର ଟପ ଅଧିକାରୀଙ୍କ ଗତିବିଧି ଏବଂ ଅପରେସନ ଷ୍ଟାଟେଜିକୁ ଜାଣିଥିଲେ ବୋଲି କହିଥିଲେ ।
ବିଶ୍ବାସଘାତକତାର ମୂଲ୍ୟ ସୁଝିଲା କି ଦେଶ !
ଗତ ୧୨ ତାରିଖରେ ଭୋର ସକାଳ ସମୟରେ ଯେତେବେଳେ ଜମ୍ମୁକାଶ୍ମୀର ଶୋଇଥିଲା, ଠିକ ସେହି ସମୟରେ ସୁରକ୍ଷା ଏଜେନ୍ସିଙ୍କୁ ଏକ ସୂଚନା ହସ୍ତଗତ ହୋଇଥିଲା । ଏହି ଖବର ଦେଇଥିବା ଗୁପ୍ତଚରଟି ବାସ୍ତବରେ ଦେଶ ପାଇଁ ନୁହେଁ, ବରଂ ଆତଙ୍କବାଦୀ ସଂଗଠନ ଲାଗି କାର୍ଯ୍ୟ କରୁଥିଲା । ଉକ୍ତ ଗୁପ୍ତଚର ଜଣକ ଜମ୍ମୁକାଶ୍ମୀର ପୋଲିସକୁ ଖବର ଦେଇଥିଲା ଯେ କୋକେରନାଗ ଜଙ୍ଗଲରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୨ଜଣ ଆତଙ୍କୀ ଲୁଚି ରହିଛନ୍ତି । ଏହି ଖବର ଜମ୍ମୁକାଶ୍ମୀର ପୋଲିସ ଡିଏସପି ହୁମାୟୁଙ୍କ ନିକଟରେ ପହଞ୍ଚିବା ପରେ ସେ ଆକ୍ସନ ମୋଡକୁ ଆସିଥିଲେ ।
ଏସଓପି ଅନୁସାରେ ଡିଏସପି ହୁମାୟୁ ଭଟ୍ଟ ୧୯ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତ ସିଂଙ୍କୁ ତୁରନ୍ତ ଏକ ମିଳିତ ଅପରେସନ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆତଙ୍କବାଦୀ ନିଜ ଠିକଣା ବଦଳାଇବା ପୂର୍ବରୁ ଭାରତୀୟ ଯବାନ ସେମାନଙ୍କ ନିକଟରେ ପହଞ୍ଚିପାରିବେ । କର୍ଣ୍ଣେଲ ମନପ୍ରୀତ ସିଂ ମେଜର ଆଶିଷଙ୍କ ସହିତ ଆଲୋଚନା କରି ଯବାନଙ୍କ ଏକ ଟିମ ସହିତ କୋକେରନାଗ ଜଙ୍ଗଲ ଅଭିମୁଖେ ବାହାରିଥିଲେ ।
ଏହା ବି ପଢନ୍ତୁ- Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜୋରଦାର