ହାଇଦ୍ରାବାଦ:ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସଙ୍କଟ ପରିସ୍ଥିତି କୌଣସି ମୂହୁର୍ତ୍ତରେ ବି ଯୁଦ୍ଧର ସୂତ୍ରପାତ କରିବା ଆଶଙ୍କାରେ ପଶ୍ଚିମ ରାଷ୍ଟ୍ରଙ୍କ ସମେତ ସମଗ୍ର ବିଶ୍ବ ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଦୁହିଁଙ୍କ ମଧ୍ୟରେ ଆଲୋଚନା ପରେ କିଛି ସକରାତ୍ମକ ଫଳାଫଳ ଆଶାରେ ୟୁକ୍ରେନ ସମେତ ବିଶ୍ବ ଅପେକ୍ଷା କରିଥିବାବେଳେ ଉଭୟ ଦେଶର ସୀମାରେ କିନ୍ତୁ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ ।
ସୀମାରେ ଋଷ ତାର ଶକ୍ତି କ୍ରମାଗତ ଭାବେ ବଢାଇ ଚାଲିଥିବାବେଳେ ୟୁକ୍ରେନ ମଧ୍ୟ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଫୋର୍ସ ମୁତୟନ କରିବା ଆରମ୍ଭ କରିିଛି । ଆଜି ଏକ ଭିନ୍ନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସୀମାରେ ଋଷ ସେନା ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏକ ପୋଷ୍ଟକୁ ୟୁକ୍ରେନ ପକ୍ଷରୁ ଗୁଳିମାଡ କରାଯାଇ ଧ୍ବଂସ କରାଯାଇଥିବା ଅଭିଯୋଗ ହୋଇଛି । ଅବଶ୍ୟ ଏଥିରେ କେହି ଋଷ ସୈନ୍ୟ ମୃତାହତ ହୋଇଥିବା ନେଇ ଋଷ ପକ୍ଷରୁ ସୂଚନା ପ୍ରଦାନ କରାଯାଇନାହିଁ ।
ଗତକାଲି ୟୁକ୍ରେନ ରାଷ୍ଟ୍ରପତି ସ୍ଥିତିର ଗମ୍ଭୀରତାକୁ ଦେଖି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଜରିଆରେ ଋଷ ସହ ଶାନ୍ତି ଆଲୋଚନା ଓ ସୀମାରେ ତତ୍କାଳ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ରଖିଥିଲେ । ଫ୍ରାନ୍ସର ମଧ୍ୟସ୍ଥତାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସହମତି ମଧ୍ୟ ପ୍ରକାଶ ପାଇଛି । ତେବେ ତମାମ କୂଟନୈତିକ ପ୍ରୟାସ ସୁଦ୍ଧା ମଧ୍ୟ ଯୁଦ୍ଧର ଆଶଙ୍କା ଟଳିବାର ନା ନେଉନାହିଁ ।