ଭୁବନେଶ୍ବର:ବାଲେଶ୍ବର ବାହନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 261କୁ ବୃଦ୍ଧି ପାଇଛି । ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି ଏହି ଦୁର୍ଘଟଣା । ଗତକାଲି ରାତିରୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭାବେ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ଆଜି ଅପରାହ୍ନରେ ଓଡିଶାରେ ପହଞ୍ଚିବେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାସ୍ଥଳ ଗସ୍ତରେ ଥିବା ନବୀନଙ୍କ ସହ ଫୋନରେ କଥା ହୋଇଛନ୍ତି ବଘେଲ । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବା ନେଇ ବଘେଲ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବଘେଲଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଗତାକାଲି ସଂଧ୍ୟାରୁ ଜାରି ରହିଥିବା ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଏବେ ମଧ୍ୟ ଶେଷ ହୋଇନି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 261 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।