ଭୋପାଳ: ଶନିବାର ରାତିରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବାଜରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦ୍ରୁତ ଗତିରେ ଆସୁଥିବା ଏକ କାର ହଠାତ୍ ଦୁର୍ଗା ବିସର୍ଜନ ଶୋଭାଯାତ୍ରାରେ ପ୍ରବେଶ କରିଥିଲା । ଯାହା ଫଳରେ ସେଠାରେ ଉପସ୍ଥିତ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏପଟେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରି କାର ଡ୍ରାଇଭର ତାଙ୍କ କାରକୁ ପଛୁଆ ଚଲାଇବା ଆରମ୍ଭ କରିଥିଲେ । ଯଦ୍ବାରା ତିନିରୁ ଚାରି ଜଣ ଲୋକ ମଧ୍ୟ ତାଙ୍କ କାରରେ ଧକ୍କା ହୋଇଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସୂଚନା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହି ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛନ୍ତି ।
ରାତି ପ୍ରାୟ 11.30 ସମୟରେ ଦୁର୍ଗା ବିସର୍ଜନ ଶୋଭାଯାତ୍ରା ଭୋପାଳ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର -1 ବାହାରେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ପ୍ରାୟ 4 ଜଣ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଗାଡିର ନମ୍ବର ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କେବଳ ଧୂସର ରଙ୍ଗର ଗାଡି ଆଧାରରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।