ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଗୃହମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ଗୃହମନ୍ତ୍ରୀ ନିଲମ୍ବିତ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ମାସକୁ 100 କୋଟି ଟଙ୍କା ସଂଗ୍ରହ କରିବାକୁ କହିଛନ୍ତି। ତେବେ ଏନେଇ ବିରୋଧି ସକ୍ରିୟ ହୋଇଛନ୍ତି ଓ ଦେଶମୁଖଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପକ୍ଷେ ଗୃହମନ୍ତ୍ରୀଙ୍କୁ କୌଣସି ମୂହୁର୍ତ୍ତରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି ଏନସିପିର ରାଜ୍ୟ ୟୁନିଟି ସଭାପତି ଜୟନ୍ତ ପାଟିଲ୍ ।
ସେ କହିଛନ୍ତି, ପୋଲିସ କମିଶନରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଏପରି ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଅନିଲ ଦେଶମୁଖଙ୍କ ବାସଭବନ ସାମ୍ନାରେ ପୋଲିସ ମୁତୟନ କରାଯାଇଛି । ଏହାସହ ପରମବୀର ସିଂଙ୍କ ବାସଗୃହ ସାମ୍ନାରେ ମଧ୍ୟ ପୋଲିସ ମୁତୟନ କରାଯାଇଛି । ତେବେ ଆଜି ସଂନ୍ଧ୍ୟା 5ଟା ରେ ଏନସିପି କୋର୍ କମିଟି ବୈଠକ ଦିଲ୍ଲୀରେ ବସିବ ।