ଅମରାବତୀ: ପ୍ରେମକୁ ନେଇ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଆନ୍ଧ୍ରପ୍ରଦେଶର ବିଶାଖାପଟନମର ସୁନ୍ଦରାୟାନଗରରେ ଶନିବାର ଦିନ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଯୁବତୀଙ୍କ ଅନ୍ୟ ଜଣେ ପୁରଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ପ୍ରେମିକ ତାଙ୍କୁ ଛୁରୀ ଭୁସି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି । ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ସୁନ୍ଦରୟାନଗରରେ ରହୁଥିବା ଯୁବତୀ ଜଣକ ଗଜୁଭାକାର ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ସମୟରେ ଅଖିଲ ନାମକ ଏକ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଗତ ତିନି ବର୍ଷ ହେବ ଉଭୟ ସଂପର୍କରେ ଥିଲେ । ହେଲେ ନିକଟରେ ଯୁବତୀ ରାମୁ ନାମକ ଏକ ଯୁବକଙ୍କ ନିକଟତର ହୋଇଥିଲେ । ଯାହାକୁ ଅଖିଲ ସହଜରେ ହଜମ କରିପାରି ନଥିଲେ । ଗତ ଚାରି ଦିନ ପୂର୍ବେ ଯୁବତୀଙ୍କୁ ନେଇ ଉଭୟ ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିଲା । ହେଲେ ଶନିବାର ଦିନ ସନ୍ଧ୍ୟାରେ ଅଖିଲ ଯୁବତୀ ଓ ରାମୁକୁ ଶ୍ରୀନଗର ଜଙ୍କସନସ୍ଥିତ ସାଇ ବାବା ମନ୍ଦିରରେ କଥାବାର୍ତ୍ତା କରୁଥିବା ଦେଖିଥିଲେ । ଏହାପରେ ସେ ରାଗରେ ଜର୍ଜରିତ ହୋଇ ଘରକୁ ଯାଇ ଏକ ଛୁରୀ ଆଣିଥିଲେ ଏବଂ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଦେଖି ରାମୁ ଭୟରେ ସେଠାରୁ ଦୌଡି ପଳାଇଥିଲା ।