ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଦେଶର ଅନେକ ଅଞ୍ଚଳରେ ହିଂସାତ୍ମକ ପ୍ରଦର୍ଶନ ଜାରିରହିଛି। ଏହି ହିଂସାରୁ ବାଦ ପଡିନାହିଁ ଉତ୍ତର ପ୍ରଦେଶ। ହିଂସାତ୍ମକ ବିରୋଧ ପ୍ରଦର୍ଶନ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଉତ୍ତର ପ୍ରଦେଶ। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା 11 ଜଣଙ୍କ ଜୀବନ ନେଇସାରିଛି । ହିଂସା ପରେ ଏବେ ଆକ୍ସନ ମୋଡରେ ଅଛନ୍ତି ଯୋଗୀ ସରକାର। ସାରା ରାଜ୍ୟରେ ପାଖାପାଖି 10 ହଜାର ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ବେଳେ 600ରୁ ଉର୍ଦ୍ଧ୍ବ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇ ସାରିଲାଣି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଦ୍ଧ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ରଦ୍ଧ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅମେଠୀ ଯିବାର ଥିଲା। ସେପଟେ ବ୍ୟାପକ ହିଂସା ପରେ ଡିଜିପି ଓପି ସିଂହ ରାସ୍ତାକୁ ଓହ୍ଲାଇଛନ୍ତି। ଡିଜିପି ଓ ଲକ୍ଷ୍ନୌର ଏସଏସପି ପୁରୁଣା ସହରରେ ବୁଲି ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।
ହିଂସାରେ ବାହାର ଲୋକଙ୍କ ହାତ ଥିବା ନେଇ ଅନୁମାନ କରାଯାଉଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଡିଜିପି କହିଛନ୍ତି। ଏନଜିଓ ଏବଂ ରାଜନୈତିକ ଦଳର ଭୂମିକା ଉପରେ ମଧ୍ୟ ସନ୍ଦେହ ଉଠିଛି। ଏହାର ସମସ୍ତ କୋଣରୁ ଯାଞ୍ଚ ଚାଲିଛି ବୋଲି ଡିଜିପି ଜଣାଇଛନ୍ତି। ହିଂସା ପରେ ଗିରଫ ହୋଇଥିବା ପ୍ରଦର୍ଶନକାରୀଙ୍କ ମଧ୍ୟରୁ 6 ଜଣ ପଶ୍ଚିମବଙ୍ଗ ମାଲଦାର ବୋଲି ପୋଲିସ ସୂତ୍ରରୁ ପ୍ରକାଶ।