ଲକ୍ଷ୍ନୌ: ବହୁ ବାଦବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ଦେଶର ବିତର୍କିତ, ସବୁଠାରୁ ବଡ ପ୍ରସଙ୍ଗ ରାମ ଜନ୍ମଭୂମି -ବାବ୍ରୀ ମସ୍ଜିଦ୍ ବିବାଦ ମାମଲାରେ ବୁଧବାର ଅନ୍ତିମ ଶୁଣାଣି ସରିଛି । 40 ଦିନର ଲଗାତାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । 23 ଦିନ ପରେ ଆସିବ ସୁପ୍ରିମକୋର୍ଟର ନିଷ୍ପତ୍ତି । ମାତ୍ର ଶୁଣାଣି ପୂର୍ବରୁ ବୁଧବାର ଯୋଗୀ ସରକାର ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ସମସ୍ତ ପୋଲିସ ପ୍ରଶାସନର ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି । ଏଥିସହ ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅନ୍ୟପଟେ ରାଜ୍ୟରେ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଥିବା ଅନ୍ୟ ଏକ କାରଣ ବୋଲି ଜଣାଯାଇଛି । ଆସନ୍ତା ନଭେମ୍ବର ୩୦ ଯାଏଁ କେହି ଛୁଟି ନେଇ ପାରିବେ ନାହିଁ ।