ଜାମ୍ମୁ ଓ କାଶ୍ମୀର ପାଇ ଆସୁଥିବା ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦର ଗୋଟିଏ ବର୍ଷ ବିତିଗଲା। ସୀମାରେ ଥିବା ଏହି ରାଜ୍ୟକୁ ଅବଶିଷ୍ଟ ଭାରତରେ ଯୋଡିବା ପାଇଁ ଭାରତୀୟ ସମ୍ବିଧାନର ଧାରା 370 ବି ଉଚ୍ଛେଦ କରିବାକୁ ବି ବର୍ଷେ ହୋଇଗଲା। ଅଗଷ୍ଟ 5, 2019ରେ ଭାରତ ସରକାର ନେଇଥିବା ଏହି ପଦକ୍ଷେପ ସାରା ବିଶ୍ବକୁ ଚକିତ କରି ଦେଇଥିଲା। ଭାରତ ପ୍ରତି ଅସୂୟା ମନୋଭାବ ରଖି ଆସିଥିବା ପାକିସ୍ତାନ ଭାରତକୁ ବାସନ୍ଦ କରିବା ପାଇଁ ବିଶ୍ବ ସମୁଦାୟ ଆଗରେ ପହଞ୍ଚିଥିଲା।
ସମସ୍ତ ପ୍ରୟାସ ସତ୍ତ୍ବେ ବିଶେଷ କରି ସେପ୍ଟେମ୍ବର ମାସରେ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇ ବି ପାକିସ୍ତାନ କେବଳ ତୁର୍କି ଏବଂ ମାଲେସିଆକୁ ବାଦ୍ ଦେଲେ ଆଉ କାହାରିଠାରୁ ସମର୍ଥନ ପାଇନଥିଲା।
ଅନୁରୋଧ ସତ୍ତ୍ବେ ଇସଲାମିକ ସହଯୋଗ ସଂଗଠନ(OIC) ସମେତ ପଶ୍ଚିମ ଏସିଆର ପ୍ରମୁଖ ମୁସଲିମ ରାଷ୍ଟ୍ର ସାଉଦୀ ଆରବ, ଇରାନ ଏବଂ ଅନ୍ୟ ଇସଲାମୀୟ ରାଷ୍ଟ୍ରରୁ ସମର୍ଥନ ପାଇନଥିଲା। ଏବଂ ଏହା ପରେ ପରେ କୋଭିଡ-19 ମହାମାରୀ ସାରା ବିଶ୍ବକୁ ମାଡି ଆସିଥିଲା ଏବଂ କାଶ୍ମୀର ପ୍ରସଙ୍ଗ ପଛକୁ ହଟି ଯାଇଥିଲା। ପାକିସ୍ତାନର ମୂଳ ସମର୍ଥକ ଚୀନ୍ କରୋନା ମହାମାରୀ ସଂକ୍ରମଣ ନେଇ ଚର୍ଚ୍ଚାକୁ ଆସିଥିଲା ଏବଂ ଏପରି କି ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା।
ରାଷ୍ଚ୍ରଦୂତ ଅନିଲ ତ୍ରିଗୁଣାୟତ,ଯେ କି ଲିବିଆ ଏବଂ ଜୋର୍ଡାନ ପାଇଁ ଭାରତର ରାଷ୍ଚ୍ରଦୂତ ଥିଲେ, ତାଙ୍କର ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳ ସମ୍ପର୍କରେ ବେଶ୍ ଭଲ ଅନୁଭବ ଥିଲା। ତାଙ୍କ ମତରେ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସମ୍ପୃକ୍ତ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ଆଦୌ ପ୍ରଭାବିତ ହୋଇନାହିଁ। ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହନ୍ତି, ଏହା କେବଳ ଯେ ଭାରତକୁ କ୍ଷତି ପହଞ୍ଚାଇନାହିଁ ତା ନୁହେଁ, ବରଂ ମିଳିତ ଆରବ ଏମିରେଟସ, ସାଉଦୀ ଆରବ ଏବଂ କାତାର ଭଳି ରାଷ୍ଟ୍ର ଭାରତରେ ସେମାନଙ୍କର ପୁଞ୍ଜି ନିବେଶ ବଢାଇଛନ୍ତି।
ସାକ୍ଷାତକାରରୁ ଉଦ୍ଧୃତ ଅଂଶ:
ଇଟିଭି: ପଶ୍ଚିମ ଏସିଆ ସର୍ବଦା ଭାରତର ବୈଦେଶିକ ନୀତିରେ ପ୍ରମୁଖ ସ୍ଥାନ ହାସଲ କରି ଆସିଛି। ନିଜର ବିଶାଳ ବଜାର, ଶକ୍ତି ଯୋଗାଣକାରୀ ରାଷ୍ଟ୍ର ଏବଂ ବହୁ ସଂଖ୍ୟାରେ ଭାରତୀୟ ସେଠାରେ ବସବାସ କରୁଥିବାରୁ ବିଦେଶୀ ମୁଦ୍ରା ଅର୍ଜନ ହେଉଥିବାରୁ ଭାରତ ପଶ୍ଚିମ ଏସିଆକୁ ଗୁରୁତ୍ବ ଦେଇ ଆସୁଛି। କୋଭିଡ-19 ମହାମାରୀ ସେ ଅଞ୍ଚଳ ସହିତ ଭାରତର ସମ୍ପର୍କକୁ କିପରି ପ୍ରଭାବିତ କରିଛି? ବିଶ୍ବ କୂଟନୀତିରେ ଏବେ ଅନେକ ପରିବର୍ତ୍ତନ ହେଉଥିବାରୁ ବର୍ତ୍ତମାନ କିପରି ସହଯୋଗ ଚାଲିଛି?
ରାଷ୍ଟ୍ରଦୂତ ଏଟି: ମୋ ମତରେ, ଆମର ବିସ୍ତାରିତ ପଡୋଶୀ ପଶ୍ଚିମ ଏସିଆ ଆମ ପାଇଁ ପ୍ରତିରକ୍ଷା ଏବଂ ଅନେକ ଜରୁରୀ କ୍ଷେତ୍ର ସକାଶେ ବିଶେଷ ଗୁରୁତ୍ବପୂର୍ଣ୍ଣ। ସେଠାରେ ରହୁଥିବା ଭାରତୀୟଙ୍କ କଲ୍ୟାଣ, ବାଣିଜ୍ୟ, ସାମୁଦ୍ରିକ ପଥ, ନିରାପତ୍ତା, ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଆଦି କାରଣରୁ ଏହା ଅନେକ ଗୁରୁତ୍ବ ବହନ କରେ।
ଯେହେତୁ ସେ ଅଞ୍ଚଳରେ ବହୁ ସଂଖ୍ୟାରେ ଭାରତୀୟ କମ୍ପାନି କାମ କରୁଛନ୍ତି, ଗଲଫ କୋପରେସନ ରାଷ୍ଟ୍ର ସମୂହ ବିଶେଷ କରି ସାଉଦୀ ଆରବ, ୟୁଏଇ ଏବଂ କତାର ଭାରତରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି, ଭାରତର ଅଭିବୃଦ୍ଧି ଏବଂ ବଜାରକୁ ଦେଖି ସେଠାକାର କମ୍ପାନି ସବୁ ଭାରତୀୟ କମ୍ପାନିରେ ପୁଞ୍ଜି ମଧ୍ୟ ଖଟାଉଛନ୍ତି। ସାଉଦୀ ଆରବ ନିକଟରେ ଜିଓ ପ୍ଲାଟଫର୍ମରେ ପୁଞ୍ଜି ଖଟାଇବା ସବ ରିଲାଏନସ ଇଣ୍ଡଷ୍ଟ୍ରିଜରେ ପାଖାପାଖି 20 ବିଲିଅନ ଡଲାର ପୁଞ୍ଜି ନିବେଶ କରିବାକୁ ଆଶା ରଖିଛି। ୟୁଏଇ ସ୍ପେକ୍ଟ୍ରମ ବାବଦରେ 75 ବିଲିଅନ ଡଲାର ନିବେଶ ପାଇଁ ସ୍ଥିର କରିଛି। ଏପରିକି କୋଭିଡ-19 ସମୟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପଶ୍ଚିମ ଏସିଆର ଏସବୁ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ମେଡିକାଲ ସହାୟତା ଯୋଗାଇ ଦେଇଛନ୍ତି ଏବଂ ରାପିଡ ରେସପନସ ଟିମ୍ ସେଠାକୁ ପଠାଇଛନ୍ତି ।
ଗଲଫ ରାଷ୍ଟ୍ର ସମୂହ(GCC)ସହଯୋଗରେ ବନ୍ଦେ ଭାରତ ମିଶନ ଜରିଆରେ ପ୍ରାୟ 4 ଲକ୍ଷ ଭାରତୀୟଙ୍କୁ ସେଠାରୁ ଅଣାଯାଇଛି। ସବୁଠାରୁ ବଡ଼ କଥା ହେଲା,ପ୍ରଧାନମନ୍ତ୍ରୀ ମୋଦି ଅନ୍ତର୍ଜାତୀୟ ପ୍ରସଙ୍ଗସବୁର ଆଲୋଚନା ଏବଂ ମହାମାରୀର ମିଳିତ ମୁକାବିଲା, ଏଥିସହିତ କୋଭିଡ- 19 ଯୋଗୁଁ ବିଶ୍ବ ଅର୍ଥନୀତି ଉପରେ ପଡିଥିବା ପ୍ରତିକୂଳ ପ୍ରଭାବକୁ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ଭର୍ଚୁଆଲ ଜି20 ଶିଖର ବୈଠକ ଆୟୋଜନ କରିବା ନେଇ ସାଉଦୀ ଆରବିଆ ଯୁବରାଜ ମହମ୍ମଦ ବିନ୍ ସୁଲେମାନଙ୍କ ସହ କଥା ହୋଇଥିଲେ। ଏହି ଡିଜିଟାଲ ଡିପ୍ଲୋମାସୀରୁ ଭାରତକୁ ଅନେକ ସୁଫଳ ମିଳିଛି।