ସାମାନ୍ୟ ଚର୍ମ ଜ୍ୱଳନ ଓ ଚର୍ମ କୁଣ୍ଡାଇ ହୋଇ ନାଲି ପଡିଯିବାସାଧାରଣ କଥା । କିନ୍ତୁ ଯଦି ଚର୍ମରେ ହ୍ୱାଇଟ୍ ସ୍କେଲ୍ ଓ ନାଲିଆ ସମତଳ ପ୍ୟାଚ୍ ସୃଷ୍ଟି ହୁଏ, ତାହା ହେଲେ ବେଳେ ବେଳେ ଏହା ଅସହ୍ୟ ଯନ୍ତ୍ରଣାର କାରଣ ହୋଇଥାଏ । ଚର୍ମ ଫାଟିଯିବା ସହ ରକ୍ତ ବାହାରେ ।ଏହା ବେଶ ଚିନ୍ତାର କାରଣ ହେବା ସ୍ୱାଭାବିକ । ଚର୍ମର ଏଭଳି ସ୍ଥିତିକୁ ସୋରିୟାସିସ କୁହାଯାଏ । ଏହା ଏକ ଚର୍ମ ବିଶୃଙ୍ଖଳା । ଏହି ସ୍ଥିତି ସଂପର୍କରେ ସାଧାରଣତଃ କେହି ଅବଗତ ନୁହନ୍ତି । ତେଣୁ ଜନସାଧାରଣଙ୍କୁ ଏ ବାବଦରେ ସଚେତନତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିଶ୍ୱ ସୋରିୟାସିସ ଦିବସ ପାଳନ କରାଯାଏ । ସାରାବିଶ୍ୱରେ ୧୩୦ ମିଲିଅନରୁ ଅଧିକ ଲୋକ ସୋରିୟାସିସ ଓ ସୋରିୟାଟିକ୍ ଗଂଠି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏବର୍ଷ ବିଶ୍ୱ ସୋରିୟାସିସ୍ ଦିବସର ଥିମ୍ ରହିଛି – ‘ଇନଫର୍ମଡ୍’ ।
ସୋରିୟାସିସ୍ କ’ଣ ? ନ୍ୟାସନାଲ ସୋରିୟାସିସ୍ ଫାଉଣ୍ଡେସନ ଅନୁସାରେ ସୋରିୟାସିସ ହେଉଛି ଏକ ଇମ୍ୟୁନ-ମେଡିଏଟେଡ୍ ରୋଗ, ଯାହା କି ଶରୀରରେ ଜ୍ୱଳନର କାରଣ ହୋଇଥାଏ । ଜ୍ୱଳନର ପ୍ରଭାବରେ ଚର୍ମରେ ଫଳକ ଓ ସ୍କେଲସ୍ ଦେଖାଯାଏ । ଏହା ହିଁ ସୋରିୟାସିସର ଲକ୍ଷଣ । ସ୍କିନ୍ ସେଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା ଅଧିକସକ୍ରିୟ ଇମ୍ୟୁନ ସିଷ୍ଟମ ଯୋଗୁଁ ଏହା ହୋଇଥାଏ । ସ୍ୱାଭାବିକ ଚର୍ମ କୋଷ ମାସକ ମଧ୍ୟରେ ସଂପୂର୍ଣ୍ଣ ଭାବେ ବୃଦ୍ଧି ପାଇଁ ଛାଡି ଯାଇଥାଏ । ସୋରିୟାସିସ କ୍ଷେତ୍ରରେ ଚର୍ମ କୋଷଗୁଡିକର ଏଭଳି ପ୍ରକ୍ରିୟା ତିନି ବା ଚାରିଦିନ ଧରି ହୁଏ । ସେଡିଂ ପରିବର୍ତେ ଚର୍ମକୋଷଗୁଡିକ ଚର୍ମର ଉପରିଭାଗରେ ଜମା ହୋଇ ରହେ । ଲାକ୍ୟୁ ଓ ସ୍କେଲ ଶରୀରରେ ଯେକୌଣସି ଅଂଶରେ ସୃଷ୍ଟି ହେବ ।
କିନ୍ତୁ ସାଧାରଣତଃ ସେଗୁଡିକ କହୁଣୀ, ଆଣ୍ଠୁ ଓ ଖପୁରୀରେ ଦେଖାଯାଇଥାଏ । ସୋରିୟାସିସ ଦ୍ୱାରା ସୃଷ୍ଟ ପ୍ରଦାହ ଦ୍ୱାରା ଶରୀରର ଅନ୍ୟ ଅଂଶ ବି ପ୍ରଭାବିତ ହୋଇଥାଏ । ପରିଣାମସ୍ୱରୂପ ସୋରିୟାଟିକ୍ ଆର୍ଥରିଟିସ୍ ଦେଖାଯାଇଥାଏ । ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ସୋରିୟାସିସରେ ପୀଡିତ ହୋଇଥାନ୍ତି । ସୋରିୟାସିସ୍ ଗଣ୍ଠି ଯନ୍ତ୍ରଣା ତୀବ୍ର ହୋଇଥାଏ । ଆଣ୍ଠୁଗଣ୍ଠି ଫୁଲିଯାଏ । ଲିଙ୍ଗ, ବୟସ ଓ ଜାତି ନିର୍ବିଶେଷରେ ସୋରିୟାସିସ୍ ଲୋକଙ୍କୁ ପ୍ରଭାବିତ କରିଥାଏ । ହେଲେ ଯୁବକମାନେ ଏହା ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥାନ୍ତି । ତେବେ, ସୋରିୟାସିସ ସଂକ୍ରାମକ ହୋଇ ନ ଥାଏ । ଶୀଘ୍ର ଚିକିତ୍ସା କଲେ ଏହା ଭଲ ହୋଇଯାଇଥାଏ ।
ସୋରିୟାସିସର କାରଣ କ’ଣ ?
ଏହି ଚର୍ମ ବିଶୃଙ୍ଖଳା ବା ବ୍ୟାଧି ଶରୀରର ପ୍ରତିରୋଧର ବ୍ୟବସ୍ଥା ସହ ସଂପୃକ୍ତ । ଜେନେଟିକ୍ସ ମଧ୍ୟ ଏହା ଜଡିତ । ଅର୍ଥାତ ଏହା ବଂଶାନୁକ୍ରମିକ ମଧ୍ୟ ହୋଇପାରେ । ସୋରିୟାସିସ୍ ଆନ୍ତର୍ଜାତିକ ମହାସଂଘ ଅନୁସାରେ ପ୍ରତିରୋଧକ ବ୍ୟବସ୍ଥା ଭୁଲବଶତଃ ଭାବେ ସଂଚାଳିତ ହୋଇ ଚର୍ମକୋଷଗୁଡିକ ଅତି ଦ୍ରୁତଗତିରେ ବଢିବାରେ ସହାୟକ ହୋଇଥାଏ । ଏହି ସବୁ କୋଷଗୁଡିକ ଚର୍ମର ଟପ୍ ଲେୟରରେ ଜମା ହୋଇଯାଏ । ଫଳରେ ଚର୍ମର ଉପରିଭାଗରେ ଘାଆ ସଦୃଶ ଆକୃତି ସୃଷ୍ଟି ହୁଏ । ସୋରିୟାସିସର ପ୍ରକାର ଭେଦ ଶରୀରରେ ବିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ପ୍ରକାରର ସୋରିୟାସିସ ସୃୃଷ୍ଟି ହୁଏ । ଗୁପ୍ତାଙ୍ଗ, ହାତ, ପାଦ, ନଖ, ଖପୁରୀ ଓ ସ୍କିନ ଫୋଲ୍ଡରେ ସାଧାରଣତଃ ସୋରିୟାସିସ୍ ଦେଖାଯାଇଥାଏ । ମୁଖ୍ୟତଃ ୫ ପ୍ରକାର ସୋରିୟାସିସ ଦେଖାଯାଇଥାଏ ।
୧. ଗୁଟାଟେ ସୋରିୟାସିସ୍ ସୋରିୟାସିସରେ ପୀଡିତ ୮ ପ୍ରତିଶତ ଲୋକଙ୍କଠାରେ ହିଁ ଏ ପ୍ରକାର ସୋରିୟାସିସ ଦେଖାଯାଏ । ଛୋଟ, ବର୍ତୁଳାକାର , ନାଲି ଦାଗ ଗୁଟାଟେ ସୋରିୟାସିସର ସଂକେତ ବହନ କରିଥାଏ । ପ୍ରଦାହ ଯୋଗୁଁ ଏଗୁଡିକ ସୃଷ୍ଟି ହୁଏ । ବାହୁ, ଗୋଡ ଓ କବନ୍ଧରେ ଏ ପ୍ରକାର ସୋରିୟାସିସ ଦେଖାଯାଏ । ଏହା ଶରୀରର ଯେକୌଣସି ଅଂଶକୁ ପ୍ରଭାବିତ କରିପାରେ ।