ଅଙ୍ଗଦାନ କରୁଥିବା ବ୍ୟକ୍ତି ୮ ଜଣଙ୍କ ଜୀବନ ବଞ୍ଚାଇପାରିବ । ଆଉ ଯଦି ଟିସୁ ଦାନ କରନ୍ତି, ତାହା ହେଲେ ୫୦ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିବ । ଅଙ୍ଗଦାନ ହେଉଛି ମାନବିକତାର ଶ୍ରେଷ୍ଠତମ ନିଦର୍ଶନ । ଜଣେ ବ୍ୟକ୍ତିର ଯଦି ଦେହାନ୍ତ ହୋଇଯାଏ, ତାହା ହେଲେ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ କୌଣସି କାମରେ ଆସେ ନାହିଁ । କିନ୍ତୁ ମୃତ ବ୍ୟକ୍ତିର ଅଙ୍ଗଗୁଡିକ ଅନ୍ୟ କାହାର ନବ ଜୀବନ ପାଇଁ ଦରକାର ପଡିଥାଏ । ତେବେ ଅଙ୍ଗଦାନ ନେଇ ଗୁଡାଏ ଅନ୍ଧବିଶ୍ୱାସ ଓ ଭୁଲଧାରଣା ରହିଆସିଛି । ତେଣୁ ଏସବୁ ଦୂର କରିବା ସହ ଅଙ୍ଗଦାନର ମହତ୍ୱ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ପାଳନ ହୁଏ ବିଶ୍ୱ ଅଂଗଦାନ ଦିବସ ।
ଏକ ସର୍ଭେରୁ ଜଣା ପଡିଛି ଯେ, ଅଙ୍ଗ ଅଭାବରୁ ବର୍ଷକୁ ପାଖାପାଖି ଏକ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି । ତେଣୁ ଅଙ୍ଗଦାନର ଗୁରୁତ୍ୱ ଯେ କେତେ, ତାହା ସ୍ପଷ୍ଟ ଅନୁମେୟ । ଅଙ୍ଗଦାନ ନେଇ କିଛି ନ୍ୟାସନାଲ ହେଲ୍ଥ ପୋର୍ଟାଲ୍ ଅଫ ଇଣ୍ଡିଆ–ଏନଏଚପି ପକ୍ଷରୁ କିଛି ତଥ୍ୟ ସମସ୍ତେ ଜାଣିବା ଉଚିତ ।
ସେସବୁ ତଥ୍ୟ ହେଲା-
- ଜାତି, ଧର୍ମ, ବୟସ, ବଣ୍ଣ ର୍ ନିର୍ବିଶେଷରେ କେହି ବି ନିଜର ଅଙ୍ଗ ଦାନ କରିପାରିବେ ।
- ଅଙ୍ଗଦାନ ପାଇଁ ନିର୍ଦ୍ଦିଷ୍ଟ କିଛି ବୟସସୀମା ନାହିଁ । ବୟସ ନୁହେଁ, ବରଂ କଡା ମେଡିକାଲ୍ କ୍ରାଇଟେରିଆ ଆଧାରରେ ହିଁ ଅଙ୍ଗ ଦାନ କରିହେବ ।
- ୧୮ ବର୍ଷରୁ କମ ବୟସ୍କମାନେ ନିଜ ବାପାମାଆ ବା ଅଭିଭାବକଙ୍କ ସହ ରାଜିନାମା କରି ଅଙ୍ଗଦାନ କରିପାରିବେ ।
- ତେବେ, କର୍କଟ, ଏଚଆଇଭି, ଡାଇବେଟିସ୍, କିଡନୀ ରୋଗ ଓ ହୃଦ ରୋଗ ଥିବା ବ୍ୟକ୍ତି ଅଂଗଦାନରୁ ବଞ୍ଚିତ ହେବେ ।
କଣ ସବୁ ଅଙ୍ଗ ଦାନ କରି ହେବ ?
ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ନିମ୍ନଲିଖିତ ଅଂଗ ଦାନ କରିହେବ । ସେଗୁଡିକ ହେଲା –
- ନେତ୍ରପଟଳ ଭଳି ଟିସୁ
- ହାର୍ଟ ହାଭସ
- ଚର୍ମ
- ହାଡ
ବ୍ରେନ୍ ଡେଥ୍ କ୍ଷେତ୍ରରେ ନିମ୍ନଲିଖିତ ଅଙ୍ଗ ଦାନ କରିହେବ । ସେଗୁଡିକ ହେଲା–
- ହୃଦୟ
- ଯକୃତ
- କିଡନୀ
- ଅନ୍ତଃନଳୀ
- ଫୁସଫୁସ
- ଅଗ୍ନାଶୟ
ନିକଟରେ ସଫଳ ପ୍ରତିରୋପଣ ହେଲା ପରେ ହାତ ଓ ମୁହଁକୁ ମଧ୍ୟ ଅଙ୍ଗଦାନ ତାଲିକାରେ ଯୋଡାଯାଇଛି । ଅଧିକାଂଶ ମାମଲାରେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରାଯାଏ । କିନ୍ତୁ ବେଳେବେଳେ ଜୀବନ୍ତ ଅଙ୍ଗଦାନ ବି କରାଯାଏ । ଜୀବନ୍ତ ଅଙ୍ଗଦାନ ପ୍ରକ୍ରିୟାରେ ଜଣେ ନିମ୍ନଲିଖିତ ଅଙ୍ଗ ଦାନ କରିପାରିବେ ।
- ଗୋଟିଏ କିଡନୀ
- ଫୁସଫୁସ୍
- ଯକୃତର ଗୋଟିଏ ଅଂଶ
- ଅଗ୍ନାଶୟର ଗୋଟିଏ ଅଂଶ
- ଅନ୍ତଃନଳୀର ଗୋଟିଏ ଅଂଶ