ୱାଶିଂଟନ୍(ୟୁଏସ୍ଏ): କୋରୋନା ବିରୋଧରେ ଜରୁରୀକାଳୀନ ଲଢେଇ ପାଇଁ ବିଶ୍ଵବ୍ୟାଙ୍କ ସହାୟତା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ବିକାଶଶୀଳ ଦେଶଗୁଡିକରେ କୋରୋନା ମୁକାବିଲା ପଦକ୍ଷେପଗୁଡିକୁ ଆବଶ୍ୟକ ସହାୟତା କରିବା ଲାଗି ଏହି ପାଣ୍ଠି ପ୍ରଦାନ କରାଯିବ । ଏହିକ୍ରମରେ ଗୁରୁବାର ବିଶ୍ଵବ୍ୟାଙ୍କ ପକ୍ଷରୁ ୨୫ଟି ଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ନିମନ୍ତେ ୧.୯ ବିଲିୟନ୍ ଆମେରିକୀୟ ଡଲାର ଅନୁମୋଦନ କରାଯାଇଛି । ଅନ୍ୟ ୪୦ଟି ଦେଶ ପାଇଁ ଆବଶ୍ୟକ ପାଣ୍ଠି ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଥିବା ବିଶ୍ଵବ୍ୟାଙ୍କ୍ ପ୍ରକାଶ କରିଛି ।
ଏହି ସହାୟତା ସହ ବିଶ୍ଵବ୍ୟାଙ୍କ ପକ୍ଷରୁ ଯେଉଁ ପ୍ରକଳ୍ପଗୁଡିକ ପୂର୍ବରୁ ଜାରି ରହିଛି ସେଥିପାଇଁ ଅଧିକ ପାଣ୍ଠି ବ୍ୟବସ୍ଥା କରିବାକୁ ବ୍ୟାଙ୍କ ଚିନ୍ତା କରୁଥିବା ଜଣାପଡିଛି । ଏବେ ୧.୭ ବିଲିୟନ୍ ଡଲାର ସହାୟତାରେ ବିଭିନ୍ନ ଦେଶରେ ବିଶ୍ଵବ୍ୟାଙ୍କ ପ୍ରକଳ୍ପମାନ ନିର୍ମାଣ ଚାଲିଛି । ଏହାସହ କାର୍ଯ୍ୟକ୍ଷମ ପ୍ରକଳ୍ପ (ସିଇଆରସି)ଗୁଡିକର ପୁନର୍ଗଠନ ଏବଂ ଜରୁରୀକାଳୀନ ଭାଗକୁ ବ୍ୟୟ କରିବା ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ଵର ପ୍ରାୟ ସବୁ ଅଞ୍ଚଳରେ ଏହିଭଳି ପ୍ରୟାସ କରୁଛି ବିଶ୍ଵବ୍ୟାଙ୍କ ।
ବିଶ୍ଵବ୍ୟାଙ୍କ ଗ୍ରୁପ୍ ଏହା କହିଛନ୍ତି ଯେ, କୋଭିଡ୍ ୧୯କୁ ମୁକାବିଲା କରିବା ପାଇଁ ଆସନ୍ତା ୧୫ ମାସ ଭିତରେ ସଂସ୍ଥା ପକ୍ଷରୁ ୧୬୦ ବିଲିୟନ ଆମେରିକୀୟ ଡଲାର ଯାଏଁ ଖର୍ଚ୍ଚ କରାଯିବ । ଏହାଦ୍ଵାରା ମହାମାରୀ ପରବର୍ତ୍ତୀ ସମୟରେ ଯେଉଁ ପ୍ରଭାବ ଅର୍ଥନୀତି ଉପରେ ପଡିବାକୁ ଯାଉଛି ଏବଂ ବର୍ତ୍ତମାନର ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ଯେଉଁ ପ୍ରଭାବ ପଡିଛି ତାହାକୁ ମୁକାବିଲା କରିବାରେ ଦେଶଗୁଡିକ ସମର୍ଥ ହୋଇପାରିବେ । ବିଶେଷକରି ଅର୍ଥନୈତିକ ଅବସ୍ଥାକୁ ପୁଣିଥରେ ସ୍ଵାଭାବିକ ଅବସ୍ଥାକୁ ଆଣିବା ପାଇଁ ଏହି ପ୍ରୟାସ ହେବ ।