ପାଟଣା: କଠୋର ଆଇନ ସତ୍ତ୍ବେ ଥମୁନି ତିନି ତଲାକ୍ ପ୍ରଥା । ଛୋଟ ଡ୍ରେସ, ନାଇଟ୍ ପାର୍ଟି ଏବଂ ମଦ ପିଇବାକୁ ମନା କରିବାରୁ ପତ୍ନୀକୁ ତଲାକ୍ ଦେଇଛି ସ୍ବାମୀ । ଏଭଳି ଅଭିଯୋଗ ଆସିଛି ବିହାର ପାଟଣରୁ । ଏନେଇ ରାଜ୍ୟ ମହିଳା ଆୟୋଗ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଏହା ପରେ ମହିଳା ଆୟୋଗ ପକ୍ଷରୁ ସ୍ବାମୀକୁ ନୋଟିସ ପଠାଯାଇଛି ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, 2015ରେ ଇମରାନ ମୁସ୍ତଫା ନାମକ ଜଣେ ଯୁବକକୁ ନୁରୀ ଫାତମା ବିବାହ କରିଥିଲେ । ବିବାହ ପରେ ଉଭୟ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲେ । ଏହା ପରେ ଇମରାନ ତାଙ୍କୁ ସହରୀ ଝିଅଙ୍କ ପରି ଛୋଟ ଛୋଟ ଡ୍ରେସ ପିନ୍ଧିବାକୁ, ନାଇଟ୍ ପାର୍ଟି ଏବଂ ମଦ ପିଇବାକୁ କହିଥିଲେ । ଫାତମା ଏସବୁ କରିବାକୁ ମନା କରିବାରୁ ସେ ତାଙ୍କୁ ମାରପିଟ୍ କରୁଥିଲା ।
ଏମିତି କିଛି ବର୍ଷ ପର୍ଯ୍ୟନ୍ତ ଫାତମାଙ୍କୁ ଇମରାନ ନିର୍ଯ୍ୟାତନା ଦେବା ପରେ ଗତ କିଛି ଦିନ ତଳେ ତାଙ୍କୁ ଘର ଛାଡିବାକୁ କହିଥିଲେ । ଫାତମା ଘର ଛାଡିବାକୁ ମନା କରିବାରୁ ସେ ତାଙ୍କ ତଲାକ୍ ଦେଇଥିଲେ । ଏନେଇ ଫାତମା ରାଜ୍ୟ ମହିଳା ଆୟୋଗ ନିକଟରେ ଅଭିଯୋଗ କରିଥିଲେ । ଯାହା ପରେ ଇମରାନଙ୍କୁ ନୋଟିସ ପଠାଯାଇଥିଲା । ସେପଟେ ରାଜ୍ୟ ମହିଳା ଆୟୋଗର ଚେୟାରମ୍ୟାନଙ୍କ କହିବାନୁଯାୟୀ, ଇମରାନ ଫାତମାଙ୍କୁ ମାରପିଟ୍ କରିବା ସହ ଦୁଇ ଦୁଇ ଥର ଗର୍ଭପାତ କରାଇଥିବା ତଦନ୍ତ ପରେ ଜଣାପଡିଛି ।
ସୂଚନାନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟ 1ରେ ତିନି ତଲାକ ବିଲ ପାରିତ କରିଥିଲେ । ଏହା ପରେ ସାରା ଦେଶରେ 19 ସେପ୍ଟେମ୍ବର 2018ରେ ଏହି ଆଇନ ଲାଗୁ ହୋଇଥିଲେ । ତିନି ତଲାକ ପାଇଁ ତିନି ବର୍ଷ ଦଣ୍ଡାଦେଶର ପ୍ରାବଧାନ ମଧ୍ୟ ରହିଛି ।