ନୂଆଦିଲ୍ଲୀ: ଦେଶରେ ଆଜି ମଧ୍ୟ ମହିଳା ଅସୁରକ୍ଷିତ ଅଛନ୍ତି । ପ୍ରତିଟି ମୁହୂର୍ତ୍ତରେ ଏମାନଙ୍କ ଉପରେ ଅତ୍ୟାଚାର ଓ ଅପରାଧ ବଢିବାରେ ଲାଗିଛି । ତେବେ ସବୁ ଜାଗାରେ ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ସେମାନଙ୍କୁ ବଞ୍ଚାଇବା ଅସମ୍ଭବ । ଏଥିପାଇଁ ମହିଳାଙ୍କୁ ନିଜ ଉପରେ ବିଶ୍ବାସ ରଖିବାକୁ ହେବ ଏବଂ ଦୃଢତାର ସହ ଅପରାଧୀଙ୍କ ମୁକାବିଲା କରିବାକୁ ପଡିବ ।
ଦିଲ୍ଲୀରେ ଝିଅଙ୍କ ଆତ୍ମବିଶ୍ବାସ ଏଭଳି ଭାବେ ବଢାଇଛନ୍ତି ମହିଳା ହେଡ କନେଷ୍ଟବଳ ସରିସ ଖାନ । ଆଜି ସାରା ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି । ଏହି ଅବସରରେ ସେ ଦିଲ୍ଲୀ ମହିଳାଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି । ଏହାସହ ଏହି ଦିବସ ଉପଲକ୍ଷେ ସେ ବାଇକ ଚଲାଇ ପେଟ୍ରୋଲିଂ କରି ମହିଳାଙ୍କୁ ସଚେତନ କରୁଛନ୍ତି । ପୋଲିସ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ବାହାରିଥିବା ନୂଆ ଆପ୍ସ ବିଷୟରେ ସେ ସମସ୍ତଙ୍କୁ ବୁଝାଉଛନ୍ତି ।
ଏହା ବିଷୟରେ ସେ କହିଛନ୍ତି ଯେ ମହିଳା କନେଷ୍ଟବଳ ହେତୁ ହୁଏତ ତାଙ୍କର ଏତେ ଡିମାଣ୍ଡ ନାହିଁ । ଆଜି ଭଳି ଦିବସରେ ସେ ବଡ ବଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନାହାନ୍ତି । କିନ୍ତୁ ଅନ୍ୟକୁ ସାହାଯ୍ୟ କରିବା ଠାରୁ ଆଉ ବଡ ଆତ୍ମସନ୍ତୋଷ କିଛି ନାହିଁ ବୋଲି ସରିସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କଷ୍ଟକର ପରିସ୍ଥିତିରେ କିପରି ନିଜକୁ ବଞ୍ଚାଇ ପାରିବ ଏହା ଅନ୍ୟଙ୍କୁ ଜଣାଇବା ତାଙ୍କର କାମ ।
ସେ ସବୁ ଝିଅଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ଯେ ସ୍ମାର୍ଟ ହୁଅ, ଷ୍ଟ୍ରଙ୍ଗ ହୁଅ । ନିଜ ଉପରେ ବିଶ୍ବାସ ରଖ । ଆତ୍ମବିଶ୍ବାସର ସହ ସବୁ କିଛି ମୁକାବିଲା କର । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଯେପରି ମୁକାବିଲା କରିପାରିବ ସେନେଇ ନିଜ ଉପରେ ବିଶ୍ବାସ ରଖ । ଯଦି କିଛି ଅସୁବିଧା ହୁଏ ତେବେ ଆମେ ତମ ସହ ଅଛୁ ବୋଲି ସରିସ କହିଛନ୍ତି । ଜଣେ ପୋଲିସ କନେଷ୍ଟବଳ ହୋଇ ମଧ୍ୟ ସରିସଙ୍କ ଏପରି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।