ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏପରି ଜଣେ ବ୍ୟକ୍ତିଙ୍କ ଆବିର୍ଭାବ ଘଟିଥିଲା, ଯିଏ ଶୂନ୍ୟରୁ ଆଜି ଶିଖରରେ ପହଞ୍ଚିସାରିଛନ୍ତି । ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଲୋକେ ଏ ସମୟକୁ ତାଙ୍କ ନାଁରେ ହି ବିବେଚନା କରିଥାନ୍ତି । ଏ କାହାଣୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର, ଯାହାଙ୍କ ଲାଗି ଏ ଯୁଗକୁ ମୋଦି ଯୁଗର ଆଖ୍ୟା ଦିଅନ୍ତି ଜନସାଧାରଣ । ତେବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାରକରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଆଜି (ଗୁରୁବାର) 70 ବର୍ଷରେ ପାଦ ଦେଇଛନ୍ତି । ମୋଦିଙ୍କ ଜନ୍ମଦିନରେ କେବଳ ଭାରତର ସାଧାରଣ ଲୋକ କିମ୍ବା ନେତାମନ୍ତ୍ରୀ ନୁହେଁ, ବିଦେଶରୁ ମଧ୍ୟ ଛୁଟୁଛି ଶୁଭେଚ୍ଛାର ସୁଅ ।
ଲୋକପ୍ରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ବ ନେତା ଜଣାଇଛନ୍ତି ଶୁଭେଚ୍ଛା । ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପିଏମ ମୋଦିଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର 70 ତମ ଜନ୍ମଦିନରେ ଅନେକ ଶୁଭେଚ୍ଛା | ମୁଁ ଶୀଘ୍ର ଆପଣଙ୍କୁ ଭେଟିବାକୁ ଆଶା କରୁଛି ।
ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଆପଣଙ୍କର 70 ତମ ଜନ୍ମଦିନ ଅବସରରେ, ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ମୋର ଶୁଭକାମନା ।