ଶ୍ରୀନଗର ଲଦାଖକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଲଦାଖର ଗଲୱାନ ଉପତ୍ୟକା ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାର ହଟସ୍ପଟ ପାଲଟିଛି । ଏହାକୁ ଛାଡିଦେଲେ ଉପତ୍ୟକାର ଏକ କାଶ୍ମୀର କନେକସନ ନେଇ ବି ଏବେ ଜୋର ଧରିଛି ଚର୍ଚ୍ଚା ।
ପ୍ରକୃତ ନିୟନ୍ତ୍ରଣ ରେଖା
ଏଲଓସିରେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନାର ନିଆଁ କିପରି ପ୍ରଶମିତ ହେବ, ସେ ନେଇ ବିଶେଷଜ୍ଞମାନେ ଆଲୋଚନା କରୁଥିଲା ବେଳେ, କାଶ୍ମୀର ଓ ଅନ୍ୟ ଅଞ୍ଚଳର ବାସିନ୍ଦା ଏବେ ଗଲୱାନ ଭଳି ଏକ କାଶ୍ମୀର ସାଙ୍ଗିଆ କିଭଳ ଲଦାଖରେ ପହଞ୍ଚିଥିଲା, ତାହାକୁ ନେଇ ବିସ୍ମୟ ପ୍ରକାଶ କରିଛନ୍ତି ।
ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସି ନିକଟରେ ଥିବା ଏକ ସ୍ଥାନର ନାଁ ହେଲା ଗଲୱାନ ଉପତ୍ୟକା । ଯେଉଁଠାରେ କି ହିମାଳୟ ପର୍ବତମାଳାର ଗ୍ଲେସିୟରରୁ ଏକ ନଦୀ ସ୍ରୋତ ପ୍ରବାହିତ ହେଉଛି । ଆଉ ଏହାର ନାଁ ହେଉଛି ଗଲୱାନ। କାରୋକୋରମ ରେଞ୍ଜରୁ ଉତ୍ପତି ହୋଇ ଅକସାଇ ଚୀନ ଓ ପୂର୍ବ ଲଦାଖ ଦେଇ ୮୦ କିମି ପଶ୍ଚିମକୁ ଯାଇ ସାୟୋକ ନଦୀରେ ମିଶିଛି ଗଲୱାନ। ସାୟୋକ ହେଉଛି ସିନ୍ଧୁ ନଦୀର ଏକ ଶାଖା ନଦୀ । ଏହି ଅଞ୍ଚଳ ରଣନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ । ତେଣୁ ଉଭୟ ଭାରତ ଓ ଚୀନ ପାଇଁ ଏହି ଉପତ୍ୟକା ସୀମା ବିବାଦର କାରଣ ହୋଇଛି । ୧୯୬୨ ଭାରତ-ଚୀନ ଯୁଦ୍ଧବେଳେ ମଧ୍ୟ ଏହି ଉପତ୍ୟକା ଏକ ଫ୍ଲାସପଏଣ୍ଟଥିଲା ।
କାଶ୍ମୀର ବଂଶୋଦ୍ଭବ ଗୁଲାମ ରସୁଲ ଶାହା ଓରଫ ଗଲୱାନଙ୍କ ନାଁରେ ଏହି ସ୍ଥାନର ନାମକରଣ ହୋଇଛି । ସେ ଓ ତାଙ୍କର ପୂର୍ବଜ କାରା ଗଲୱାନ କାଶ୍ମୀରର ହୋଇଥିଲେ ମଧ୍ୟ ତତ୍କାଳୀନ ଡୋଗ୍ରା ଶାସକଙ୍କ ଅତ୍ୟାଚାର ସହି ନ ପାରି ସେଠାରୁ ପଳାୟନ କରି ବାଲଟିସ୍ଥାନରେ ବସବାସ କରିଥିଲେ । ସଂପୃକ୍ତ ସ୍ଥାନର ଇତିହାସ ଓ ଏହାର ନାମକରଣ ସଂପର୍କରେ ଜାଣିବା ପାଇଁ ଗଲୱାନଙ୍କ ଜଣେ ବଂଶଧର ତଥା ତାଙ୍କ ନାତି ମହମ୍ମଦ ଅମିନ ଗଲୱାନଙ୍କ ସହ ଆଲୋଚନା କରିଥିଲା ଇଟିଭି ଭାରତ । ଅମିନ ଗଲୱାନଙ୍କ କହିବା କଥା ହେଲା ଯେ, ଡୋଗ୍ରା ମହାରାଜାଙ୍କ ଶାସନ ବେଳେ ଅତ୍ୟାଚାର ସହି ନ ପାରି କାରା ଗଲୱାନ କାଶ୍ମୀରରୁ ପଳାୟନ କରି ବାଲଟସ୍ଥାନରେ ରହିଥିଲେ ।
ଇଟିଭି ଭାରତକୁ ଅମିନ କହିଛନ୍ତି ଯେ, ଗୁଲାମ ରସୁଲ ଗଲୱାନ ୧୮୭୮ରେ ଲେହରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୨ ବର୍ଷ ବୟସ ହୋଇଥିଲା ବେଳେ ସେ ବ୍ରିଟିଶ ଭ୍ରମଣକାରୀ ଓ ଅନ୍ୱେଷଣକାରୀଙ୍କୁ ଲଦାଖ ଓ କାରୋକୋରମ ଅଞ୍ଚଳରୁ ଯାଇଥିବା କେନ୍ଦ୍ର ଏସିଆ ରୁଟରେ ଗାଇଡ କରିଥିଲେ । ରସୁଲ ଗଲୱାନଙ୍କ ପୁ୍ଅ ଓ ନାତିମାନେ ଲେହରେ ସ୍ଥାୟୀ ଭାବେ ରହିଯାଇଥିଲୋ ସେମାନଙ୍କ ବର୍ଦ୍ଦିତ ପରିବାର ମଧ୍ୟ ସଂପୃକ୍ତ ଅଞ୍ଚ ଳରେ ବସବାସ କରୁଛନ୍ତି ।
ଭାରତ-ଚୀନ ଉତେଜନା ଯୋଗୁଁ ଲେହର ସୃଷ୍ଟି ହୋଇଥିବା ପରିସ୍ଥିତି ସଂପର୍କରେ ଅମିନ କହିଛନ୍ତି ଯେ, ଏ ନେଇ ଲୋକେ ଖୁବ୍ ଚିନ୍ତିତ ଅଛନ୍ତି । ଗତ କିଛି ସପ୍ତାହ ହେଲା ଏଲଏସି ଆଡକୁ ଭାରତୀୟ ସେନାର ଚଳାଚଳ ବଢିବାରେ ଲାଗିଛି ବୋଲି ଅମିନ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଲଦାଖର ଲୋକେ ଭାରତୀୟ ସେନାକୁ ପୂର୍ଣ୍ଣ ର୍ସମର୍ଥନ ଜଣାଇଛନ୍ତି । ସେମାନେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସହାୟତା ଦେବେ ବୋଲି କହିଛନ୍ତି ଅମିନ । ଗଲୱାନ ଉପତ୍ୟକା ଓ ରସୁଲ ଗଲୱାନଙ୍କ ବାବଦରେ ଲଦାଖର ଜଣାଶୁଣା ଐତିହାସିକ ଓ ଲେଖର ଗନି ଶେଖଙ୍କ ସହ କଥାବାର୍ତ୍ତା କରିଥିଲା ଇଟିଭି ଭାରତ ।
ଇଟିଭି ଭାରତକୁ ସାକ୍ଷାତକାରରେ ମହମ୍ମଦ ଅମିନ ଯାହା କହିଛନ୍ତି, ଶେଖ୍ ବି ଠିକ ସେୟା କହିଥିଲୋ ହିମାଳୟ ପାର୍ବତ୍ୟାଚଂଳରୁ କେନ୍ଦ୍ର ଏସିଆରେ ପହଞ୍ଚାଇବା ପାଇଁ ବ୍ରିଟିଶ ଅଭିଯାତ୍ରୀ ଦଳକୁ ଗୁଲାମ ରସୁଲ ସାହାଯ୍ୟ କରିଥିଲେ ବୋଲି ଶେଖ୍ କହିଥିଲେ । ଭାରତ-ଚୀନ ଉତେଜନା ମଧ୍ୟରେ କାଶ୍ମୀରି ୟୁଜରଙ୍କ ସୋସିଆଲ ମିଡିଆ ଫିଡରେ ଗୁଲାମ ରସୁଲ ଗଲୱାନଙ୍କ ଲିଖିତ ‘ସର୍ଭେଂଟସ୍ ଅଫ୍ ସାହିବସ’ ନାମକ ପୁସ୍ତକର ଅଂଶବିଶେଷ ଦେଖିବାକୁ ମିଳୁଛି । ବ୍ରିଟିଶ ଅନ୍ୱେଷକ ଫ୍ରାନସିସ୍ ୟଙ୍ଗହଜବେଣ୍ଡ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି । ଏହି ପୁସ୍ତକ ପଢିବାକୁ ସୁପାରିଶ କରାଯାଉଛି ଓ ଏହାର ସଫ୍ଟ କପି ବଣ୍ଟାଯାଉଛି ।
ମୀର ଫରହଟ, ଶ୍ରୀନଗର