ହାଇଦ୍ରାବାଦ: ଅବସର ଗ୍ରହଣ ପରବର୍ତ୍ତୀ ଯୋଜନା ଓ ପ୍ରସ୍ତୁତି କଥା ବିଚାରକୁ ନେଲେ ଭାରତର ଭିନ୍ନତା ସୁସ୍ପଷ୍ଟ । ଭାରତୀୟମାନେ ଶୀଘ୍ର ଅବସର ଗ୍ରହଣ କରି ସେମାନଙ୍କ ଭାବାବେଗ ସହ ସଂପୃକ୍ତ ଜୀବନର କେତେକ ଲକ୍ଷ୍ୟ ହାସଲ କରିବାକୁ କିମ୍ବା ଏକ ସେବା ମନୋଭାବ ସଂପନ୍ନ ଚିନ୍ତାଧାରା କାର୍ଯ୍ୟକାରୀ କରାଇବାକୁ ଚାହୁଁଥିବା ବେଳେ, ସେମାନଙ୍କ ଅବସର ଗ୍ରହଣ ପରବର୍ତ୍ତୀ ଲକ୍ଷ୍ୟସାଧନ ଦିଗରେ କେତେକ ଦୋଷତ୍ରୁଟି ପରିଲକ୍ଷିତ ହୁଏ ।
ଆଉ ମହିଳାମାନଙ୍କ କ୍ଷେତ୍ରରେ, ବିଶେଷତଃ କର୍ମଜୀବୀ ମହିଳାମାନଙ୍କ କ୍ଷେତ୍ରରେ ଏହା ଆହୁରି ଅଧିକ ଅନୁଭୂତ ହୁଏ । ବିଭିନ୍ନ ରିପୋର୍ଟରୁ ସୂଚନା ମିଳେ ଯେ, ଅବସର ଗ୍ରହଣ ପ୍ରସଙ୍ଗରେ ମହିଳାମାନଙ୍କ ଆର୍ଥିକ ପ୍ରସ୍ତୁତି, ପୁରୁଷମାନଙ୍କ ତୁଳନାରେ କମ୍ ଏବଂ ଅବସର ପରବର୍ତ୍ତୀ ଜୀବନର ଆବଶ୍ୟକତା ପୂରଣ ପାଇଁ ସେମାନେ ସୁସଂହତ ପ୍ରସ୍ତୁତି କରି ନ ଥାଆନ୍ତି ।
ବିଶେଷତଃ, ଚଳିତ ସହସ୍ରାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବପିଢ଼ି ପାଇଁ ଅବସର ଗ୍ରହଣ, ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ରୂପେ ବିବେଚିତ ହେଉଥିବାବେଳେ ମହିଳାମାନେ ଏବଂ କର୍ମଜୀବୀ ମହିଳାମାନେ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନ ସଂପର୍କରେ କାହିଁକି ଯୋଜନା କରିବା ଉଚିତ, ତାହାର ଅନେକ କାରଣ ରହିଛି । ସେଥିରୁ କେତେକ ପ୍ରମୁଖ କାରଣ ହେଲା ଲିଙ୍ଗ, ବେତନରେ ବ୍ୟବଧାନ, ପାରିବାରିକ ପ୍ରସଙ୍ଗ, ଜୀବନ ଧାରଣର ସମ୍ଭାବନା । ଏଠାରେ ମୁଁ ପ୍ରତିଟି କାରଣ ଉପରେ ଆଲୋକପାତ କରିବା ସହିତ କାହିଁକି ମହିଳାମାନେ ଅବସର ଗ୍ରହଣ ପରେ ଜୀବନର ଲକ୍ଷ୍ୟ ହାସଲ ଲାଗି ଅଧିକ କାର୍ଯ୍ୟକ୍ଷମ ଯୋଜନା କରିବା ଦରକାର ସେ ସଂପର୍କରେ ଆଲୋଚନା କରୁଛି ।
ଆର୍ଥିକ ବ୍ୟବଧାନ
ଉଭୟ ଲିଙ୍ଗ ମଧ୍ୟରେ ବେତନର ବ୍ୟବଧାନ ଏକ ବାସ୍ତବ କଥା- ଏବଂ ଏହାର ଅର୍ଥ ହେଉଛି, ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଳ୍ପ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ।
ଲିଙ୍ଗଭେଦରେ ବେତନ ବ୍ୟବଧାନ ବ୍ୟତିରେକ, ମହିଳାମାନେ ପିଲାମାନଙ୍କର କିମ୍ବା ବୟସ୍କ ସଂପର୍କୀୟମାନଙ୍କର ଯତ୍ନ ନେବା ସକାଶେ କାର୍ମିକ ଜୀବନରୁ ଅଧିକ ବିରତି ନେବା ସମ୍ଭାବନା ରହିଛି । ଯଦିଚ ଅଧିକରୁ ଅଧିକ ପୁରୁଷ ସେବାକାରୀ ଭୂମିକାକୁ ବହୁଳ ମାତ୍ରାରେ ଆଦରି ନେଉଥିବା ଲକ୍ଷ୍ୟ କରାଯାଉଛି, ତଥାପି, ମୁଖ୍ୟ ରୂପରେ ଏହା ମହିଳାମାନଙ୍କ ଦ୍ବାରା ଗ୍ରହଣୀୟ ଭୂମିକା ହୋଇ ରହିଆସିଛି ।
ଚାକିରି ଜୀବନରେ ଏଭଳି ବିରତି ହୁଏତ ମହିଳାମାନଙ୍କ ଅବସର ଗ୍ରହଣ ପରବର୍ତ୍ତୀ ସମୟ ଦିଗରେ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ପକାଇପାରେ । ବିଶେଷତଃ ଯଦି ଆପଣ 35ରୁ 45 ବର୍ଷ ବୟସ ମଧ୍ୟରେ ଚାକିରି ଜୀବନରୁ ବିରତି ନିଅନ୍ତି । କାରଣ, ଏହା ସେହି ସମୟ, ଯେଉଁ ସମୟରେ ଅନେକ କର୍ମଜୀବୀ ମହିଳା ପାରିବାରିକ ଜୀବନ ଆରମ୍ଭ କରନ୍ତି ଏବଂ ସେମାନଙ୍କର ବାର୍ଷିକ ଉପାର୍ଜନ ସର୍ବୋଚ୍ଚ ସ୍ତରରେ ରହିଥାଏ ।
ଏମିତି କି ଯଦି ଏହି ମହିଳାମାନେ ପୁଣି ଚାକିରିରେ ଯୋଗ ଦିଅନ୍ତି, ତଥାପି ସେମାନେ ବର୍ଷ ବର୍ଷର ଦରମା ବୃଦ୍ଧି କିମ୍ବା ପଦୋନ୍ନତି ହରାଇ ବସନ୍ତି ଏବଂ ଚକ୍ରବୃଦ୍ଧି ଆକାରରେ ସେମାନଙ୍କ ସଂପୂର୍ଣ୍ଣ ଜୀବନ କାଳ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଯଦିଓ ପୁରୁଷ ଓ ମହିଳମାନଙ୍କ ବେତନରେ ଥିବା ବ୍ୟବଧାନ ସଂକୁଚିତ ହେବାରେ ଲାଗିଛି, ତଥାପି ଏଥିରେ ଏ ପର୍ଯ୍ୟନ୍ତ ଆହୁରି ଅନେକ ଦୂରତା କମ୍ ହେବାର ସମ୍ଭାବନା ରହିଛି ।
ଯଦି ଚାକିରି ଜୀବନ ଆରମ୍ଭରୁ ୟୁନିଟ୍ ଲିଙ୍କ୍ଡ ଇନ୍ସ୍ୟୁରାନ୍ସ ପ୍ଲାନ୍ (ULIPs) ଭଳି ବଜାର-ସଂଲଗ୍ନ ଯୋଜନାରେ ଅଧିକ ଅର୍ଥ ନିବେଶ କରାଯାଏ, ତେବେ କିଛି ସମୟ ପାଇଁ ଆପଣ କାମ ନ କରିଲେ ବି, ତାହା ଆପଣଙ୍କ ସଞ୍ଚୟ ପରିମାଣ ବୃଦ୍ଧି କରିପାରେ । ଜୀବନର ଲକ୍ଷ୍ୟ ପୂରଣ ପାଇଁ ଶୀଘ୍ର ଯୋଜନା କରିବା ଏବଂ ଦୂରଦର୍ଶୀ ଢଙ୍ଗରେ ନିବେଶ ଯୋଗୁଁ ଆପଣଙ୍କ ଧନ ସୁରକ୍ଷିତ ରହିପାରେ ଏବଂ ମହିଳାମାନଙ୍କ ପାଇଁ ଏହା ଅଧିକ ଜରୁରୀ ।
ସ୍ବାସ୍ଥ୍ୟ ଏବଂ ଆୟୁ ସମ୍ଭାବନା
ଏକଥା ମନେ ରଖିବା ଆବଶ୍ୟକ ଯେ, ଜୀବ ବିଜ୍ଞାନର କଥନ ଅନୁସାରେ, ମୌଳିକ ଭାବେ ପୁରୁଷ ଓ ମହିଳା ଦୁଇଟି ଭିନ୍ନ ଭିନ୍ନ ପ୍ରାଣୀ । ଏହାର ଅର୍ଥ ଦୁହିଁଙ୍କର ସ୍ବାସ୍ଥ୍ୟସେବା ଏବଂ ଚିକିତ୍ସା ଆବଶ୍ୟକତାରେ କେତେକ ପ୍ରମୁଖ ପାର୍ଥକ୍ୟ ରହିଛି ।