ନୂଆଦିଲ୍ଲୀ: ସରିଯାଇଛି 2019 ନିର୍ବାଚନ । ଆସିଯାଇଛି ଫଳାଫଳ । ବହୁମତ ପାଇ ଲଗାତାର ଦ୍ବିତୀୟ ଥର କ୍ଷମତା ଦଖଲ କରିଛି ମୋଦି ସରକାର । ମୋଦି ସୁନାମୀରେ ଭାସିଯାଇଛନ୍ତି ସମସ୍ତ ବିରୋଧୀ । ତେବେ ଦେଶର ସପ୍ତଦଶ ସରକାର ସ୍ଥିର ହୋଇଥିବାବେଳେ ସରକାରଙ୍କୁ କିଏ ବିରୋଧ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସଦ୍ୟ ସମାପ୍ତ ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ । ନୂତନ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଭ କରିବାକୁ ସୁଦ୍ଧା ଦଳ ନିଜର ଯୋଗ୍ୟତା ହରାଇଛି । ଏପରିକି ଦଳ ବିରୋଧୀ ଦଳ ମାନ୍ୟତା ଦାବି କରିବା ଭଳି ସ୍ଥିତିରେ ମଧ୍ୟ ନାହିଁ ।
ଏଥର ନିର୍ବାଚନରେ କଂଗ୍ରେସର ମାତ୍ର ୫୨ ଜଣ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସଂସଦର ନିୟମ କହୁଛି ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଗି ସମ୍ପୃକ୍ତ ଦଳର 10 ପ୍ରତିଶତ ପ୍ରାର୍ଥୀଙ୍କୁ ନିର୍ବାଚନରେ ବିଜୟୀ ହେବାକୁ ପଡିବ । ଲୋକସଭାର ମୋଟ ସଭ୍ୟ ସଂଖ୍ୟା ୫୪୩ ଥିବାବେଳେ ଏହାର ୧୦ ପ୍ରତିଶତ ପ୍ରାର୍ଥୀ ଅର୍ଥାତ 55 ଜଣ ପ୍ରାର୍ଥୀଙ୍କୁ ବିଜୟ ଲାଭ କରିବାକୁ ପଡିବ । ମାତ୍ର କଂଗ୍ରେସ ଏହାଠାରୁ 3ଟି ସିଟ ପଛରେ ଅଛି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଲୋକସଭାରେ ସରକାରଙ୍କୁ କିଏ ବିରୋଧ କରିବ । ବିରୋଧୀ ଦଳର ମାନ୍ୟତା କାହାକୁ ମିଳିବ । କୌଣସି ଦଳ ମଧ୍ୟ ଏଥିପାଇଁ ଯୋଗ୍ୟତା ହାସଲ କରିନଥିବାବେଳେ ବିରୋଧୀ ଦଳ ନେତା ପଦବୀ ଖାଲି ପଡିବା ନିଶ୍ଚିତ ହୋଇଛି । ସୂଚନାଯୋଗ୍ୟ ଯେ ଗତ ନିର୍ବାଚନରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିଲା । କଂଗ୍ରେସ 44ଟି ସିଟରେ ବିଜୟୀ ହାସଲ କରିଥିଲା ।
ଫଳରେ ଦଳ ସଂସଦରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ସେତେବେଳେ ବାଚସ୍ପତି ସୁମିତ୍ରା ମହାଜନଙ୍କୁ କଂଗ୍ରେସ ଦଳ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ଦେବାକୁ ଅନୁରୋଧ କରିଥିଲା । ହେଲେ ବାଚସ୍ପତି ସଂସଦର ରୁଲବୁକ ଦେଖାଇ ଏହାକୁ ପ୍ରତ୍ୟାଖାନ କରିଥିଲେ ।
ତେବେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସାମ୍ବିଧାନିକ ପଦବୀରେ ନିଯୁକ୍ତି ଦେବା ଲାଗି ଥିବା କମିଟିରେ ବିରୋଧୀ ଦଳର ନେତା ଏକ ସଭ୍ୟ ଭାବେ ରହିଥାଏ । ଏଥିଲାଗି ବାଚସ୍ପତି ଗତ ସଂସଦରେ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ପ୍ରଦାନ କରିନଥିଲେ ସୁଦ୍ଧା ବୈଠକକୁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରୁଥିଲେ । ହେଲେ ଏଥର ନିର୍ବାଚନରେ ମଲ୍ଲିକାର୍ଜୁନ ହାରି ଯାଇଛନ୍ତି । ଦେଖିବାକୁ ବାକି ରହିଲା ନୂଆ ବାଚସ୍ପତି କଣ ପଦକ୍ଷେପ ନେଉଛନ୍ତି ।