ନୂଆଦିଲ୍ଲୀ: ମହାମାରୀ ରୂପେ ଉଭା ହୋଇଥିବା କୋରୋନା ଭାଇରସରେ ସମଗ୍ର ବିଶ୍ୱର ପ୍ରାୟ 2 ଲକ୍ଷ 90 ହଜାର ଲୋକ ପ୍ରାଣ ହରାଇ ସାରିଲେଣି । ଏବେ ଯାଏଁ କୌଣସି ଦେଶ ଏହି ମାରାତ୍ମକ ଭାଇରସର ଚିକିତ୍ସା ପାଇଁ କୌଣସି ଟିକା ତିଆରି କରିବାରେ ଅସଫଳ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ ଆନୁମାନିକ ସମୟ ପୂର୍ବରୁ ଟିକା ତିଆରି ହେବାରେ ସଫଳତା ମିଳିପାରେ । ତେବେ ଏନେଇ ସୂଚନା ଦେଇଛନ୍ତି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡନୋମ୍ ।
ଟେଡ୍ରୋସ୍ ଏଡନୋମ୍ କହିଛନ୍ତି ଯେ, ଟୀକା ଉପରେ ଦ୍ରୁତ ଗତିରେ କାମ ଚାଲିଛି । ସାରା ବିଶ୍ୱରେ ପ୍ରାୟ 100 ଟି ଟିମ୍ ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ଟିମ ମଧ୍ୟରୁ 7 ରୁ 8 ଟି ଟିମ୍ ଟିକା ପ୍ରସ୍ତୁତ କରିବାକୁ ଅତି ନିକଟତର । ସମଗ୍ର ବିଶ୍ବକୁ ବହୁତ ଶୀଘ୍ର ଭଲ ଖବର ମିଳିପାରେ । ଏଥିସହ ଏଡନୋମ କହିଛନ୍ତି ଯେ, ଆମେ ଭାବିଥିଲୁ ଏକ ଟୀକା ପ୍ରସ୍ତୁତ ପାଇଁ ବର୍ଷେରୁ ଦେଢ ବର୍ଷ ସମୟ ଲାଗିପାରେ । କିନ୍ତୁ ଏବେ ଲାଗୁଛି ଅନୁମାନ ପୂର୍ବରୁ ଏହି ଟିକା ପ୍ରସ୍ତୁତ ହୋଇଯିବ ।