ନୂଆଦିଲ୍ଲୀ: ହାଇଦ୍ରାବାଦରେ ପ୍ରାଣୀଧନ ଚିକିତ୍ସକ ‘ଦିଶା’ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ପୋଲିସ । ଶୁକ୍ରବାର ସକାଳୁ ଏହି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଖୁସିର ଲହରି ଖେଳିଯାଇଛି । ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଉଛି ତ କେହି କେହି ଏନକାଉଣ୍ଟର ଉପରେ କିଛିଟା ପ୍ରଶ୍ନ ଉଠାଇଛନ୍ତି । ହାଇଦ୍ରାବାଦ ସିଟି ପୋଲିସର ଏପରି ଆକ୍ସନକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଆସନ୍ତୁ ଜାଣିବା କିଏ କ'ଣ କହୁଛନ୍ତି...
ତେଲେଙ୍ଗାନାର ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ ପୋଲିସ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, 'ଆଇନ ପ୍ରକ୍ରିୟା ପୂର୍ବରୁ ଭଗବାନ ସେମାନଙ୍କୁ ଦଣ୍ଡ ଦେଇଛନ୍ତି । ଅଭିଯୁକ୍ତ ଖସିବାର ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଛି । ଏହା ଘଟଣାକୁ ନେଇ ହାଇଦ୍ରାବାଦ ସମେତ ପୁରା ଦେଶରେ ଖୁସୀର ମାହୋଲ ରହିଛି । '
ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ଘଟଣାରେ ଖୁସି ପ୍ରକାଶ କରିବା ସହ ଏହାକୁ ନେଇ ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ସେ କହିଛନ୍ତି, 'ୟୁପିରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ହେଲେ ରାଜ୍ୟ ସରକାର ଶୋଇ ରହିଛନ୍ତି । ୟୁପି ଏବଂ ଦିଲ୍ଲୀ ପୋଲିସକୁ ହାଇଦ୍ରାବାଦ ସିଟି ପୋଲିସ ଠାରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି । '